ଛାତ୍ରାବାସରୁ ନିଖୋଜ ହେଉଛନ୍ତି ପିଲା, ଜାଣୁ ନାହାନ୍ତି ଅଧିକାରୀ

ଜୟପୁର: ଛାତ୍ରବାସରୁ ପିଲା ଯାଉଛନ୍ତି ଫେରୁଛନ୍ତି ଅଥଚ ଜାଣୁ ନାହାନ୍ତି ଅଧିକାରୀ । ଅଭିଭାବକ କହୁଛନ୍ତି ରୋଷେୟା ଦାୟିତ୍ୱରେ ଚାଲିଛି ଛାତ୍ରାବାସ । ହଠାତ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ୨୦ ପିଲା କେଉଁଆଡ଼େ ନିଖୋଜ ହୋଇଗଲେ । ଖୋଜି ଖୋଜି ହତାଶ ହୋଇଗଲେ ଗ୍ରାମବାସୀ । ଗାଁ ଭିତରେ ଖୋଜି ଖୋଜି ଶେଷରେ ବଣ ପାହାଡ଼କୁ ଖୋଜିବାକୁ ଗଲେ । ଶେଷରେ ଛାତ୍ରାବାସ ଠାରୁ ୯ କିଲୋମିଟର ଦୂରରେ ଥିବା ଏକ ପାହାଡ଼ରୁ ପିଲାଙ୍କୁ ଉଦ୍ଧାର କରାଗଲା । ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଲଙ୍କାପୁଟ ସରକାରୀ ଉଚ୍ଚ ବିଦ୍ୟାଲୟରେ । ଛାତ୍ରାବାସରୁ ପଞ୍ଚମ ଶ୍ରେଣୀର ୨୦ ଜଣ ପିଲା ନିଖୋଜ ହେଲେ । ଅନେକ ସମୟ ଧରି ଖୋଜାଖୋଜି କରିବା ପରେ ୯ କିଲୋମିଟର ଦୂରରେ ଥିବା ପାହାଡ଼ରୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ହେଲେ କୁନି କୁନି ପିଲା ।

ଛୋଟ ଛୋଟ ପିଲା ସ୍କୁଲ ଛାଡି ପ୍ରାୟ ୯ କିଲୋମିଟର ଦୂର  ପାହାଡରେ ଲୁଚିବାକୁ ଗଲେ କେମିତି ? ଅନ୍ୟପଟେ ପାହାଡ଼ ଓ  ନଦୀ ନିକଟରେ ଥିବାରୁ କିଛି ବଡ଼ ଅଘଟଣ ଘଟିଥିଲେ କିଏ ଦାୟୀ ହୋଇଥାନ୍ତା ବୋଲି ଏବେ ଉଠିଛି ବଡ଼ ପ୍ରଶ୍ନ । ସ୍କୁଲ ଠାରୁ ୯ କିଲୋମିଟର ଦୂର ପଣ୍ଡି ପାହାଡ଼ରେ ସେମାନେ ଲୁଚିଥିବା ଜଣାପଡ଼ିବା ପରେ ଅଭିଭାବକ ଓ ଗାଁ ଲୋକେ ମିଳିମିଶି ସୁରକ୍ଷିତ ଭାବେ ପିଲାଙ୍କୁ ଉଦ୍ଧାର କରିଛନ୍ତି । ପିଲାମାନେ ବାରମ୍ବାର ଏମିତି ପଳାଇ ଯାଉଛନ୍ତି, ତେଣୁ ଅଭିଭାବକମାନେ ଚିନ୍ତାରେ ଅଛନ୍ତି । ଘଟଣାକୁ ନେଇ ତଦନ୍ତ କରିବା ସହ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ଥିବାବେଳେ ଘଟଣାରେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ କୋରାପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ବ୍ଲକ ଶିକ୍ଷା ଅଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ପିଲାଙ୍କ ସହ ଆଲୋଚନା କରିଥିବା ବେଳେ ପିଲାମାନଙ୍କୁ କିଭଳି ସୁରକ୍ଷିତ ଭାବେ ରଖାଯିବ ସେଥିପ୍ରତି ଅଧିକ ନିରୀକ୍ଷଣ କରାଯିବ କହିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ।

୨୦ ଛାତ୍ର ନିଖୋଜ ଘଟଣାକୁ ନେଇ ଏବେ ଚିନ୍ତାରେ ଅଭିଭାବକ । ପିଲାଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଅଭିଭାବକମାନେ ପିଲାଙ୍କୁ ଛାତ୍ରାବାସରେ ରଖୁଛନ୍ତି । କିନ୍ତୁ ପିଲାଙ୍କ ଦାୟିତ୍ବ ଠିକ୍ ଢଙ୍ଗରେ ନିଆଯାଉ ନଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଯାହା ଏବେ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି ।

Also Read: ଚିକିତ୍ସାରେ ଅବହେଳା ଯୋଗୁଁ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ