ଗୋଟିଏ ଶ୍ରେଣୀ କୋଠରୀରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଛନ୍ତି ପିଲା

ପ୍ରାଥମିକ ଶିକ୍ଷାକୁ ଗୁରୁତ୍ବଦେଇ ସରକାରୀ ସ୍ତରରେ କରାଯାଉଛି କେତେ ଯୋଜନା । ହେଲେ ଏଠାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ । ନାଁ ରହିଛି ଆବଶ୍ୟକ ଭିତ୍ତିଭୂମି ନା ରହିଛି ଛାତ୍ରଛାତ୍ରୀଙ୍କ ବସିବା ପାଇଁ ଉପଯୁକ୍ତ ଶ୍ରେଣୀ କୋଠରୀ । ଅବଶ୍ୟକ ଶ୍ରେଣୀ ଗୃହ ନଥିବାରୁ ବାଧ୍ୟହୋଇ ଗୋଟିଏ ଶ୍ରେଣୀ କୋଠରୀରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଛନ୍ତି ପିଲା । ପାଗକୁ ଦେଖି କେତେବେଳେ ସ୍କୁଲ ବାରଣ୍ଡାରେ ତ ଆଉ କେତେ ବେଳେ ଗଛ ତଳେ ବସି ପାଠ ପଢୁଛନ୍ତି ଏଠାକାର ଛାତ୍ରଛାତ୍ରୀ ।

ସ୍କୁଲ ଘର ଅଛି । ତିନୋଟି ଶ୍ରେଣୀ କୋଠରୀ ବି ଅଛି । ହେଲେ କାମରେ ଆସୁନାହିଁ ଦୁଇଟି ଶ୍ରେଣୀ କୋଠରୀ । କେଉଁଠି ଛାତ ତଳୁ ସିମେଣ୍ଟ ଖସି ତଳେ ପଡୁଛି ତ ଆଉ କେଉଁଠି ଛାତର ରଡ ସବୁ ଛାଡ଼ିଯାଇଛି । ଛାତ ସବୁ ଫାଟି ଆଁ କଲାଣି । ବର୍ଷା ଦିନ ହେଲେ ଛାତରୁ ପାଣି ପଡୁଛି । ଆଉ କେଉଁ କୋଠରୀ ଉଈ ହୁଙ୍କାରେ ପରିଣତ ହୋଇଗଲାଣି । ଏଭଳି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ଦୁଇଟି ଶ୍ରେଣୀ କୋଠରୀ । ଦୁଇ ଶ୍ରେଣୀ କୋଠରୀ ବିପଦଜନକ ଅବସ୍ଥାରେ ଥିବାରୁ ପିଲାଙ୍କୁ କୋଠରୀ ଭିତରକୁ ଛାଡୁ ନାହାନ୍ତି ଶିକ୍ଷୟିତ୍ରୀ । ଯେଉଁଥି ପାଇଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଗୋଟିଏ କୋଠରୀରେ ରହି ପାଠ ପଢାଉଛନ୍ତି ଶିକ୍ଷୟିତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ବାଗବର ଗ୍ରାମ ପଞ୍ଚାୟତ ବୁରୋଘାଟ ପ୍ରାଥମିକ ବିଦ୍ୟାଳୟରେ ଏମିତି ପରିସ୍ଥିତି ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ୪୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଅଛନ୍ତି ୨ ଜଣ ଶିକ୍ଷକ । ତିନୋଟି ଶ୍ରେଣୀ କୋଠରୀ ଥିଲେ ମଧ୍ୟ ଦୁଇଟି ଶ୍ରେଣୀ କୋଠରୀ ଭାଙ୍ଗି ରୁଜି ନଷ୍ଟ ହୋଇଗଲାଣି । ଏନେଇ ବ୍ଲକ ଶିକ୍ଷା ଅଧିକାରୀ, ବୀରମହାରାଜପୁର ବିଡିଓଙ୍କୁ ଲିଖିତ ଭାବେ ଜଣାଇ ଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।

୧୯୫୪ ମସିହାରେ ତିଆରି ହୋଇଥିବା ଏହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବାବେଳେ ଅତି ଦୟନୀୟ ଭାବେ ପାଠ ପଢୁଛନ୍ତି ଏଠାକାର ଛାତ୍ରଛାତ୍ରୀ । ସାମାନ୍ୟ ବର୍ଷା ହେଲେ ଗୋଟିଏ ଶ୍ରେଣୀ କୋଠରୀରେ ବସି ପାଠ ପଢୁଥିବା ବେଳେ ସମୟ ସୁଅରେ ଅଧାରୁ ବନ୍ଦ ହୋଇଯାଏ ସ୍କୁଲ । ପିଲାଙ୍କ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ଏଠାରେ କିନ୍ତୁ ଫଳ ଶୂନ । ଏନେଇ ସ୍କୁଲ ପକ୍ଷରୁ ଲିଖିତ ଭାବେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଥିଲେ ସୁଦ୍ଧା ଅତରିକ୍ତ ଶ୍ରେଣୀ କୋଠରୀ ଯୋଗାଇ ଦେଲେ ଶିକ୍ଷାଦାନ ଠିକ ଭାବରେ ହୋଇ ପାରିବ ବୋଲି ଶିକ୍ଷୟିତ୍ରୀ କହିଥିବା ବେଳେ ସେପଟେ ଖୁବ ଶୀଘ୍ର ପଂଚାୟତ ସ୍ତରରେ ଆଲୋଚନା କରାଯାଇ ସ୍କୁଲ ଘର ମରାମତି କରାଯିବା ସହ ନୂତନ ଘର ତିଆରି କରିବାକୁ ବିଡିଓ କହିଛନ୍ତି ।

ପିଲାଙ୍କ ଭାଗ୍ୟ ଗଢୁ ଥିବା ଏହି ମଣିଷ ତିଆରି କାରଖାନା ଜରାଜୀର୍ଣ୍ଣ ଅବସ୍ଥା ଦେଖି ଅଧାରୁ ମୁହଁ ଫେରାଉଛନ୍ତି ଛାତ୍ର ଛାତ୍ରୀ । ଫଳରେ ଦିନକୁ ଦିନ ସ୍କୁଲର ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି । ତୁରନ୍ତ ଏଠାରେ ପାଠପଢ଼ା ପାଇଁ ବ୍ୟବସ୍ଥା କରାଗଲେ ଅନେକ ପିଲାଙ୍କ ଭବିଷ୍ୟତ ସୁଧୁରିଯିବ ।