କଟକ (କେନ୍ୟୁଜ୍) : ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ପ୍ରସଙ୍ଗରେ ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ରାଜ୍ୟ ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଓ୍ଵାଇଲ୍ଡ ଲାଇଫ ପିସିସିଏଫ, ୱେଟଲାଣ୍ଡ ଡେଭଲପମେଣ୍ଟ ଅଥରିଟିର ଚିଫ୍ ଏକଜିକ୍ୟୁଟିଭ ଅଫିସର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମେତ ଚିଲିକା ଡେଭଲପମେଣ୍ଟ ଅଥରିଟିର ଚିଫ୍ ଏକଜିକ୍ୟୁଟିଭଙ୍କୁ ନେଇ ଏହି କମିଟି ଗଠନ ହୋଇଛି। ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲାର ଜିଲାପାଳଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବା ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।
ଓଡିଶାରେ ଆର୍ଦ୍ରଭୂମି ସୁରକ୍ଷା ନେଇ ସୁପ୍ରିମକୋର୍ଟଙ୍କ ନିକଟରେ ରୁଜୁ ହୋଇଥିଲା ଜନସ୍ୱାର୍ଥ ମାମଲା। ସୁପ୍ରିମକୋର୍ଟ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଓଡିଶା ହାଇକୋର୍ଟରେ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟ ମାମଲା ଶୁଣାଣି କରିବା ସହ ମୋହିତ ଅଗ୍ରଓ୍ଵାଲଙ୍କୁ ଆମିକସ୍ କ୍ୟୁରୀ ଭାବେ ନିଯୁକ୍ତ କରିଥିଲେ । ଚିଲିକା ହ୍ରଦ ଓ ଭିତରକନିକା ଅଭୟାରଣ୍ୟରେ ଜବରଦଖଲ ସଂକ୍ରାନ୍ତୀୟ ଏକ ରିପୋର୍ଟ ଆମିକସ୍ କ୍ୟୁରୀ ହାଇକୋର୍ଟଙ୍କ ନିକଟରେ ପୂର୍ବରୁ ଦାଖଲ କରିଛନ୍ତି। ଆସନ୍ତା ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସେଦିନ କମିଟି ସମ୍ପର୍କରେ ଆମିକସ୍ କ୍ୟୁରୀ ତାଙ୍କ ମତାମତ ହାଇକୋର୍ଟଙ୍କ ନିକଟରେ ରଖିବେ।