ଜେଲରୁ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଟାଙ୍ଗୀ (କେନ୍ୟୁଜ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ଜେଲ୍‌ରୁ ମୁକୁଳିଛନ୍ତି। ଆଜି ମଧ୍ୟାହ୍ନ ରେ ସ୍ୱାସ୍ଥ୍ୟଗତ ଚିକିତ୍ସା ନିମନ୍ତେ ସାତ ଦିନ ପାଇଁ ବିଧାୟକଙ୍କୁ ଉଚ୍ଚ ନ୍ୟାୟାଳୟ ଅନ୍ତରୀଣ ଜାମିନ ଦେଇଛନ୍ତି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସର୍ତ୍ତ ମୂଳକ ଜାମିନ ପ୍ରଦାନ ପରେ ବାଣପୁର ସବ ଜେଲରୁ ବାହାରିଛନ୍ତି । ଜେଲରୁ ବାହାରିବା ପରେ ସିଧାସଳଖ ବାଣପୁର ସ୍ଥିତ ମା’ ଭଗବତୀଙ୍କ ଦର୍ଶନ କରିଥିଲେ । ବିଧାୟକଙ୍କ ସମର୍ଥକ ମାନେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସ୍ୱାଗତ କରିଥିଲେ। ଅନ୍ତରୀଣ ଜାମିନ ଅବଧି ସରିବା ପରେ ଆସନ୍ତା ମଇ ୪ ତାରିଖ ଦିନ ସକାଳ ୭ ଘଟିକାରେ ବିଧାୟକ ଆତ୍ମସମର୍ପଣ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବିଧାୟକଙ୍କ ପାଇଁ କୋର୍ଟ ଏକାଧିକ ସର୍ତ୍ତାବଳୀ ରଖିଥିବା ଜଣାପଡିଛି।

ସୂଚନାଥାଉ କି, ଗତ ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ ଅଫିସ ସାମ୍ନାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଦିନ ଜୋରଜବରଦସ୍ତ ଭିଡ଼ ଭିତରକୁ ବିଧାୟକ ଗାଡ଼ି ନେଇଥିଲେ। ଏହାପରେ ଲୋକଙ୍କ ଉପରକୁ ଗାଡ଼ି ଚଢ଼ାଇ ଦେଇଥିଲେ। ଯେଉଁଥିରେ ଏକାଧିକ ବ୍ୟକ୍ତି, ପୋଲିସ୍ ଏବଂ ସାମ୍ବାଦିକ ଆହତ ହୋଇଥିଲେ। ଘଟଣା ପରେ ଲୋକେ ପ୍ରଶାନ୍ତଙ୍କୁ ନିସ୍ତୁକ ପିଟିଥିଲେ। ଏହାପରଠୁ ସେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା ଓ ସେ ଜେଲ୍‌ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.