ଆଜି ଚିତାଲାଗି ଅମାବାସ୍ୟା : ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ : ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥି । ଚିତାଲାଗି ଅମାବାସ୍ୟା । ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଆଜି ଲାଗି ହେବେ ବ୍ରହ୍ମଜ୍ୟୋତି ହୀରା ଚିତା । ପତିମହାପାତ୍ର ସେବାୟତ ସଂସ୍କାର କରିବା ପରେ ତିନି ଵାଡର ବାଡ଼ଗ୍ରାହୀ ଦଇତାପତି ଓ ଅନ୍ୟାନ୍ୟ ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କୁ ଏହି ଅଳଙ୍କାର ଲାଗି କରିବେ । ଶ୍ରୀଜଗନ୍ନାଥଙ୍କୁ ସୁଭ୍ର ହୀରା ଖଚିତ ରତ୍ନଚିତା, ଶ୍ରୀବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କୁ ପାନା ହୀରା ଖଚିତ ରତ୍ନ ଚିତା ଲାଗି କରାଯିବ।
ଚିତାଲାଗି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ସ୍ନାନପୂର୍ଣମୀ ଦିନ ମହାପ୍ରଭୁ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡିତ ହୋଇ ଅଣସର ଘରେ ଥିଲେ। ସେହି ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଏହି ଚିତା ଗୁଡିକୁ କାଢି ନିଆ ଯାଇଥିଲା । ରଥଯାତ୍ରା ଦିନ ମହାପ୍ରଭୁଙ୍କୁ ସୋଲ ଚିତା ଲାଗି କରାଯାଇଥିଲା । ଆଜି ସେହି ସୋଲ ଚିତାକୁ କଢ଼ାଯାଇ ଅସଲ ଚିତା ଲାଗି କରାଯିବ । ଆଜି ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ସରିବା ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ । ଶ୍ରୀଦେବୀ ଓ ଭୂଦେବୀ ରତ୍ନ ସିଂହାସନରୁ ଆସି ଖଟ ସେଜରେ ବିଜେ କରିବେ ।