ଆଜି ପବିତ୍ର ବଡ଼ଦିନ : ବିଭିନ୍ନ ଚର୍ଚ୍ଚରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
କନ୍ଧମାଳ: ଆଜି ବଡ଼ଦିନରେ ସବୁଠି ସେଲିବ୍ରେସନର ମାହୋଲ୍ । ମଧ୍ୟରାତ୍ରରେ ପ୍ରଭୁ ଯୀଶୁଙ୍କ ଧରାବତରଣ ପରେ ଧୁମଧାମରେ ଉତ୍ସବ ମନାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ଏଥିଲାଗି ବିଭିନ୍ନ ଚର୍ଚ୍ଚରେ ବ୍ୟାପକ ଆୟୋଜନ କରାଯାଇଛି । ବଡ଼ଦିନ ପାଇଁ ଉତ୍ସବ ମୁଖର ଚାରିଆଡ଼ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ବାପ୍ଟିଷ୍ଟ ଓ କ୍ୟାଥଲିକ ଚର୍ଚ୍ଚରେ ମହାଆଡମ୍ବରରେ ଶାନ୍ତିପୂର୍ଣ୍ଣ ଭାବେ ପାଳନ ହୋଇଛି ବଡ଼ଦିନ । ରଙ୍ଗୀନ ଆଲୋକମାଳାରେ ଝଲସୁଛି ଚର୍ଚ୍ଚ । ଖ୍ରୀଷ୍ଟମାସ ଟ୍ରି, ଗୁହାଳ ଘର ସହ ଚର୍ଚ୍ଚକୁ ସୁସଜ୍ଜିତ କରାଯାଇଛି । ଶାନ୍ତିପୂର୍ଣ୍ଣ ଭାବେ ବଡ଼ଦିନ ପାଳନ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଖ୍ରୀଷ୍ଟ ଧର୍ମର ଲୋକେ ବଡ଼ଦିନ ଉପଲକ୍ଷେ ନିଜ ଘରକୁ ଆଲୋକମାଳା ଓ ଫୁଲରେ ସଜାଇବା ସହ ନୂତନ ପୋଷାକ ପରିଧାନ କରିଥାନ୍ତି । ଏହି ଅବସରରେ ବିଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ବଡ଼ଦିନରେ କେକ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମସ୍ତେ ମିଳିତ ହୋଇ କେକ୍ କାଟିବା ସହ ପରସ୍ପରକୁ ଏହାକୁ ଖୁଆଇ ଏହି ଦିନର ଶୁଭ କାମନା ଜଣାଇଥାନ୍ତି । ଛକ ଛକରେ ଲାଇଟ୍ ଲଗାଇ ଖ୍ରୀଷ୍ଟମାସ୍ ଗଛ ସଜାଇ ଥା’ନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ ଲୋକେ । ଏହି ଅବସରରେ ଲୋକେ ପରସ୍ପରକୁ ଉପହାର ଦେଇ ଶୁଭକାମନା ଜଣାଇଥାନ୍ତି । ଏହି ଦିନର ସବୁଠାରୁ ଆକର୍ଷଣୀୟ ବିଷୟ ହେଉଛି ଖ୍ରୀଷ୍ଟମାସ୍ ଟ୍ରି ଓ ସାନ୍ତାକ୍ଲଜ୍ । ପ୍ରଥମେ ଲଣ୍ଡନରେ ଏହି ଖ୍ରୀଷ୍ଟମାସ୍ ଟ୍ରି ପରମ୍ପରା ଆରମ୍ଭ ହୋଇଥିଲା । ପିଲାଙ୍କ ଆୟୁଷ ବଢ଼ିବା ନିମନ୍ତେ ଏହି ଗଛ ସଜ୍ଜାଯାଉଥିବା କୁହାଯାଏ ।