ଆଜି ୧୨ଟି ଜିଲ୍ଲାରେ ସିଭିଲ୍ ଡିଫେନ୍ସ ମକ୍ ଡ୍ରିଲ୍, ଅପରାହ୍ଣ ୪ଟାରେ ବାଜିବ ଯୁଦ୍ଧ ସାଇରନ୍

ଭୁବନେଶ୍ୱର : ଭାରତ-ପାକିସ୍ତାନ ମଧ୍ୟରେ ଦେଖାଯାଇଥିବା ଉତ୍ତେଜନା ମଧ୍ୟରେ ବୁଧବାର ଦେଶର ୨୪୪ଟି ଜିଲ୍ଲାରେ ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ କରିବେ । ଏହି ମକ୍ ଡ୍ରିଲ୍ରେ ଓଡ଼ିଶାର ୧୨ଟି ଜିଲ୍ଲା ମଧ୍ୟ ସାମିଲ କରାଯାଇଛି । ସପ୍ତାହେ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପର୍ଯ୍ୟାୟ କ୍ରମରେ ଏହି ମକ୍ଡ୍ରିଲ୍ କରାଯିବ । ଲୋକଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ସଚେତନ ଓ ସୁରକ୍ଷା ପ୍ରଦାନ ପାଇଁ ଏହି ମକ୍ଡ୍ରିଲ୍ କରାଯାଉଛି। ଶତ୍ରୁ ଆକ୍ରମଣ ସ୍ଥିତିରେ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି । ଅପରାହ୍ଣ ୪ଟାରେ ନିର୍ଦ୍ଧାରିତ ଜିଲାରେ ସାଇରନ ବାଜିବ । ୫ ମିନିଟ୍ ଧରି ସାଇରନ ବାଜିବା ମାତ୍ରେ ଲୋକେ ସୁରକ୍ଷିତ ସ୍ଥାନକୁ କିପରି ଯିବେ ତାହାର ମକ୍ଡ୍ରିଲ୍ ଅନୁଷ୍ଠିତ ହେବ । ୪୮୦ କି.ମି ବେଳାଭୂମିରେ ଲାଗିଥିବା ସାଇରନକୁ ମଧ୍ୟ ବଜାଯିବ।
ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଅନୁଗୋଳ, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଜଗତସିଂହପୁର, ଢେଙ୍କାନାଳ, ପୁରୀ, କୋରାପୁଟ, ସୁନ୍ଦରଗଡ଼ ଓ ସମ୍ବଲପୁରରେ ଏହି ମକ୍ଡ୍ରିଲ୍ ୭ ଦିନ ଧରି ଚାଲିବ । ବୁଧବାର କିଛି ସହରାଞ୍ଚଳରେ କରାଯିବ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା) ଉପକୂଳ ଅଞ୍ଚଳରେ ଥିବା ପ୍ରାକୃତିକ ବିପର୍ଯ୍ୟୟ ସାଇରନ ବଜାଇବ। ଶତ୍ରୁ ବିମାନ ଆକ୍ରମଣ ସମୟରେ ସାଇରନ ବଜେଇ ସାଧାରଣ ଲୋକଙ୍କୁ ସତର୍କ କରିବା ଏହି ମକ୍ଡ୍ରିଲ୍ର ଲକ୍ଷ୍ୟ ।
ସାଇରନ ବାଜିବା କ୍ଷଣି ସମସ୍ତେ କଂକ୍ରିଟ ଛାତ ଘରକୁ ଚାଲିଯିବେ। ବସ୍ତି ବାସିନ୍ଦାଙ୍କ ପାଇଁ ନିର୍ଦିଷ୍ଟ ଆଶ୍ରୟସ୍ଥଳ ବ୍ୟବସ୍ଥା କରିବା ପାଇଁ ଜିଲା ପ୍ରଶାସନକୁ କୁହାଯାଇଛି। ଆକ୍ରମଣର ପ୍ରଭାବ ସରିବା ପରେ ପ୍ରଶିକ୍ଷିତ ସିଭିଲ ଡିଫେନ୍ସର ସ୍ୱେଚ୍ଛାସେବୀ ସାଇରନ ବଜେଇ ସୂଚନା ଦେବେ। ଏହି ମକ୍ଡ୍ରିଲ୍ରେ ସ୍ୱେଚ୍ଛାସେବୀ, ସିଭିଲ ଡିଫେନ୍ସ, ଏନ୍ସିସି, ସ୍ଥାନୀୟ କର୍ମଚାରୀ, ଆପଦା ମିତ୍ର ସାମିଲ ହେବେ। ରାଜ୍ୟ ଓ ଜିଲାସ୍ତରୀୟ ନିୟନ୍ତ୍ରଣକକ୍ଷ ଖୋଲାଯାଇଛି । ସୁରକ୍ଷା ସହ ଜନସାଧାରଣଙ୍କ ଲାଗି ଖାଦ୍ୟ ଯୋଗାଣ, ଜଳ ଯୋଗାଣ, ବିଦ୍ୟୁତ୍, ସ୍ବାସ୍ଥ୍ୟ ସେବା ବେସାମରିକ ସୁରକ୍ଷା ଦ୍ୱାରା ନିୟନ୍ତ୍ରିତ ହେବ । ଏଥିପାଇଁ ବୁଧବାର ପ୍ରସ୍ତୁତି ବୈଠକ ହେବ। ବିଭିନ୍ନ ସେବାର ମୁଖ୍ୟଙ୍କୁ ସିଭିଲ ଡିଫେନ୍ସର ୱାର୍ଡ଼େନ ଭାବେ ଦାୟିତ୍ୱ ଦିଆଯାଇଛି ।
୧୯୭୧ ମସିହା ପରେ ପ୍ରଥମଥର ସମ୍ଭାବ୍ୟ ଯୁଦ୍ଧ ପାଇଁ ଏଭଳି ପ୍ରତିରକ୍ଷା ଅଭ୍ୟାସ କରାଯିବ। ଏହି ମକ୍ଡ୍ରିଲ୍ର ସମୟ ଯେତିକି ପାଖଉଛି, ଲୋକଙ୍କ ମନରେ ସେତିକି ଛନ୍କା ପଶୁଛି । ଶତ୍ରୁ ବିମାନରୁ ଶୂନ୍ୟରୁ ବୋମା, ଗୋଳାବାରୁଦ ବର୍ଷିଲେ, କ’ଣ କରିବେ? ଆକାଶମାର୍ଗ ଆକ୍ରମଣରୁ ନିଜେ ବର୍ତ୍ତିବା ସହ ଅନ୍ୟକୁ କେମିତି ବଞ୍ଚାଇବେ? ସେନେଇ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ।
ଆହୁରି ପଢ଼ନ୍ତୁ : ଆସନ୍ତାକାଲି ବାଜିବ ସାଇରନ୍, ଜାଣନ୍ତୁ ଏହି ସମୟରେ ଭୟଭୀତ ନ ହୋଇ କରିବେ କଣ ?