ଶ୍ରୀମନ୍ଦିରରେ ବଙ୍ଗୀୟ ଭକ୍ତ ଓ ଜେଟିପିଙ୍କ ମଧ୍ୟରେ ମାରପିଟ, ଆକ୍ରମଣରେ ଜେଟିପି ଆହତ

ପୁରୀ : ଶ୍ରୀମନ୍ଦିରରେ ବଙ୍ଗୀୟ ଭକ୍ତ ଓ ଜେଟିପିଙ୍କ ମଧ୍ୟରେ ମାରପିଟ । ଚାରିରୁ ପାଞ୍ଚ ଜଣ ବଙ୍ଗୀୟ ଭକ୍ତଙ୍କ ଟଣା ଓଟରା ଓ ଆକ୍ରମଣରେ ଶ୍ରୀମନ୍ଦିର ଜେଟିପି ଆହତ ହୋଇଛନ୍ତି । ଏନେଇ ସିଂହଦ୍ୱାର ଥାନାରେ ଉଭୟ ଜେଟିପି ଓ ବଙ୍ଗୀୟ ଭକ୍ତଙ୍କ ପକ୍ଷରୁ ଲିଖିତ ଭାବେ ଅଭିଯୋଗ ହୋଇଛି । ପୋଲିସ ଆହତ ଜେଟିପି ଓ ବଙ୍ଗୀୟ ଭକ୍ତଙ୍କୁ ରଖି ପଚାରଉଚରା ଜାରି ରଖିଛି । ଶ୍ରୀମନ୍ଦିର ଜେଟିପି ଗୁପ୍ତେଶ୍ୱର ରାଉତରାୟଙ୍କ କହିବା ଅନୁସାରେ ଆଜି ସକାଳ ୯ଟା ସମୟରେ ସେ ଶ୍ରୀମନ୍ଦିର ଘଣ୍ଟି ଦ୍ୱାରରେ ହବିଷ୍ୟାଳିଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଦାୟିତ୍ୱରେ ଥିଲେ ।

ଏହି ସମୟରେ କିଛି ବଙ୍ଗୀୟ ଭକ୍ତ ପ୍ରସ୍ଥାନ ବାଟ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ।  ଏହାକୁ ବାରଣ କରିଥିଲେ ଘଣ୍ଟି ଦ୍ୱାର ନିକଟରେ ନିୟୋଜିତ ଜେଟିପି ଗୁପ୍ତେଶ୍ୱର । ବାରଣ କରିବାରୁ ବାଙ୍ଗୀୟ ଭକ୍ତମାନେ ଏହାକୁ ନମାନି ଉତକ୍ଷିପ୍ତ ହୋଇ ଗୁପ୍ତେଶ୍ୱରକୁ ଆକ୍ରମଣ କରିଥିଲେ । ଅନ୍ୟପଟେ ବଙ୍ଗୀୟ ଭକ୍ତ ପୁଜାଳି ଚାଟାର୍ଜୀଙ୍କ କହିବା ଅନୁଯାୟୀ, ସେ ତାଙ୍କ ପରିବାର ବର୍ଗଙ୍କ ସହ ଶ୍ରୀମନ୍ଦିର ଘଣ୍ଟି ଦ୍ୱାର ନିକଟରେ ଗହଳିରେ ଫସି ରହିଥିଲେ । ଏହି ସମୟରେ ଜେଟିପି ତାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ଶରୀରରେ ହାତ ଲଗାଇଥିଲେ । ସେ ନିଜକୁ ରକ୍ଷା କରିବାକୁ ଯାଇ ଏଭଳି ଘଟଣା ଘଟିଛି । ପୋଲିସ ଆହତ ଜେଟିପି ଓ ବାଙ୍ଗୀୟ ଭକ୍ତଙ୍କୁ ରଖି ପଚାରଉଚରା ଜାରି ରଖିଛି ।

You might also like