ରାୟଗଡ଼ା: ଝିଅକୁ ଧରି ଛାତି ବାଡ଼େଇ କାନ୍ଦୁଛି ମା’। ସେ ଆଉ ହଲଚଲ ହେଉନି । ତା ଦେହରେ ଆଉ ଜୀବନ ନାହିଁ । କଣ ହୋଇଛି ମୋ ଝିଅର ? ମୋ ଝିଅ ଉଠୁନି କାହିଁକି ? ମୋ ସହ କଥା ହେଉନି କଣ ପାଇଁ ? ଏଭଳି ଚିତ୍କାର କରି ଭୋ ଭୋ ହୋଇ କାନ୍ଦୁଛି ମା’ ଜଣକ । ପାଖରେ ରୁଣ୍ଡ ହୋଇଛନ୍ତି ଲୋକେ । ପାଠ ପଢ଼ୁଥିବା ଝିଅଟିର ହଠାତ୍ କଣ ହୋଇଗଲା । ସ୍କୁଲରେ ଏପରି କାହିଁକି ଅଚେତ୍ ହୋଇଗଲା । ଝିଅକୁ ନେଇ କେତେ ସ୍ବପ୍ନ ଦେଖିଥିଲେ ବାପା ମା’ । ହେଲେ କିଏ ଜାଣିଥିଲା ଏମିତି କିଛି ଘଟିଯିବ ବୋଲି ।
ସ୍କୁଲରେ ପାଠ ପଢ଼ୁଥିବା ବେଳେ ଚତୁର୍ଥ ଶ୍ରେଣୀ ଛାତ୍ରୀର ମୃତ୍ୟୁ । ଅସୁସ୍ଥ ହେବାରୁ ବିଦ୍ୟାଳୟ କତୃପକ୍ଷ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଏ ସମ୍ପର୍କରେ ଖବର ପାଇ ପରିବାର ବର୍ଗ ଛାତ୍ରୀଙ୍କୁ ସ୍କୁଲରୁ ଆଣି ଘରେ ଗୁଣିଗାରେଡି ଓ ଦେଶୀ ଚିକିତ୍ସା କରିଥିଲେ । ହେଲେ ଝିଅଟିର କି ଚିକିତ୍ସା କରୁଥିଲେ କେଜାଣି ଫଳ ଓଲଟା ହେଲା । ଚେତା ଚାଲିଯିବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାର ଅବସ୍ଥା ଅତି ଗୁରୁତର ହେବାରୁ ଅଧିକା ଚିକିତ୍ସା ପାଇଁ ଡାକ୍ତର ତାକୁ କୋରାପୁଟକୁ ସ୍ଥାନାନ୍ତର କରିଥିଲେ ।
ତେବେ ଆମ୍ବୁଲାନ୍ସରେ ନେବା ସମୟରେ ଝିଅଟିର ମୃତ୍ୟୁ ହୋଇଯାଇ ଥିଲା । ଏଭଳି ଅଭାବୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ସେବା ଆଶ୍ରମରେ। ମୃତ ଛାତ୍ରୀର ନାଁ ରଶ୍ମିତା ନାଚିକା । ତା ଘର କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତ କୃଷ୍ଣପାତ୍ରଗୁଡ଼ାରେ । ସେ କରପା ସେବା ଆଶ୍ରମରେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିଲା । ଦୁଇଦିନ ପୂର୍ବେ ଅସୁସ୍ଥ ଥିଲାରଶ୍ମିତା ।
ସ୍କୁଲରେ ଅସୁସ୍ଥ ହୋଇ ପଡ଼ିବାରୁ କର୍ତ୍ତୃପକ୍ଷ ପ୍ରଥମେ କଲ୍ୟାଣସିଂହପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଥିଲେ । ପରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ରଶ୍ମିତାର ଅବସ୍ଥା ଦେଖି ଡାକ୍ତର ତୁରନ୍ତ କୋରାପୁଟକୁ ରେଫର କରି ଦେଇଥିଲେ । ହେଲେ ଦୁର୍ଭାଗ୍ୟକୁ ଛାତ୍ରୀ ଜଣକର ଅଧାବାଟରେ ମୃତ୍ୟୁ ହୋଇଗଲୋ । ଛାତ୍ରୀର ମୃତ୍ୟୁ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରାଯାଉଛି । ଏନେଇ ପ୍ରଶାସନିକ ସ୍ତରରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । କିନ୍ତୁ ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।