ପୁଣି ଲଜ୍ଜା: ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ

ନବରଙ୍ଗପୁର(କେନ୍ଯୁଜ୍): ପୁଣି ଲଜ୍ଜା। ପୋଲିସ୍ ପ୍ରଶାସନ ଯେତେ କଠୋର ନିତି ଅବଲମ୍ବନ କଲେ ବି ଅପରାଧିଙ୍କ କାର୍ଯ୍ଯକଳାପ ଥମିବାର ନା ଧରୁନି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ନେଇ ଆସିଛି ଅଭିଯୋଗ।  ଥାନାରେ ଏତଲା ଦେଇଛନ୍ତି ନାବାଳିକାଙ୍କ ପରିବାର ଲୋକେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଫାଣ୍ଡି ଅନ୍ତର୍ଗତ ତୁରୁଞ୍ଜିଆ ଗୁଡା ଗ୍ରାମରେ ।

ତୁରୁଞ୍ଜିଆ ଗୁଡା ଗ୍ରାମର କୁମର ହରିଜନଙ୍କ ୧୩ବର୍ଷର ଝିଅ ଯିଏକି ଅଷ୍ଟମ ଶ୍ରେଣୀରେ ପଢୁଥିଲା।  ଗତ ୧୦ତାରିଖ ରବିବାର ଦିନ ଅପରାହ୍ନ ସମୟରେ ଝିଅଟି ଘର ପାଖରେ ଥିବା ପଡିଆକୁ ଶୌଚ କରିବାକୁ ଯାଇଥିବା ସମୟରେ , ସେମଳା ଗ୍ରାମର ଦୁଇ ଜଣ ଯୁବକ ସନ୍ତୋଷ ଟାକ୍ରୀ ଏବଂ ଉମେଶ ହରିଜନ ଏକ ଧଳା ରଙ୍ଗର କାରରେ ଆସି ନାବାଳିକାକୁ ଅପହରଣ କରି ନେଇ କୋରାପୁଟ ଜିଲ୍ଲା ର ସୁନାବେଡା ଗ୍ରାମରେ ୩ଦିନ ଧରି ବନ୍ଧକ ରଖିଥିଲେ ।

ଦୁଇ ଜଣ ଯୁବକଙ୍କ ମଧ୍ୟରୁ ସନ୍ତୋଷ ଟାକ୍ରୀ ଦୁଷ୍କର୍ମ କରିଥିଲା । ଏହାପରେ ପୁଣି ସେମଳା ଗ୍ରାମରେ ଝିଅକୁ ଛାଡି ଚାଲିଯାଇଥିଲେ। ଏହି ଖବର ଶୁଣିବାକୁ ପାଇବା ପରେ ନାବାଳିକାକୁ ପରିବାର ଲୋକେ ଉଦ୍ଧାର କରିଥିଲେ । ଏହାପରେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାର ମା।

ଅଭିଯୋଗ ଅନୁଯାୟୀ ନାବାଳିକାକୁ ଜୀବନରେ ମାରିଦେବାର ଧମକ ଦେଇ ଦୁଷ୍କର୍ମ କରାଯାଇଛି। ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି ନାବାଳିକା ଏବଂ ତାଙ୍କ ପରିବାର ଲୋକେ। ଏତଲା ପାଇବା ପରେ ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଥିବା ବେଳେ ଅଭିଯୁକ୍ତ ଏବଂ ତାର ସହଯୋଗୀ ଫେରାର ଥିବା ଜଣାପଡିଛି। ପୋଲିସ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିବା ସହ, ଅଭିଯୁକ୍ତ ମାନେ ଖୁବ୍ ଶୀଘ୍ର ଧରାପଡିବା ସହ ଘଟଣା ପଛର ପ୍ରକ୍ରୁତ କାରଣ ଜଣାପଡିବ ବୋଲି କହିଛନ୍ତି ମୈଦାଲପୁର ଫାଣ୍ଡି ଅଧିକାରୀ ଅନାମୁ ଦିଆନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.