ଶିଶୁଆ ବଜାର ନିକଟରେ ମୋ ବସ ଧକ୍କାରେ ନବମ ଶ୍ରେଣୀର ଛାତ୍ର ଗୁରୁତର

କଟକ: ରାସ୍ତାରେ ଯାଉଥିଲେ ଛାତ୍ର ଜଣକ । ସାମ୍ନାରୁ ମାଡ଼ି ଆସିଥିଲା ମୋ ବସ୍‌ । ମୋ ବସ୍‌ ଧକ୍କାରେ ଛିଟିକି ପଡ଼ିଥିଲେ ଛାତ୍ର । ଛାତ୍ର ଜଣକ ଗୋଡ଼ ହାତ ଖଣ୍ଡିଆ ହୋଇଯାଇଥିବା ବେଳେ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଘଟଣ କଟକ ସାଲେପୁର ରାସ୍ତାର ସାଲେପୁର ଶିଶୁଆ ବଜାର ନିକଟରେ ଦେଖିବାକୁ ମିଳିଛି ।

ମୋ ବସ ଧକ୍କାରେ ଛାତ୍ର ଜଣକ ପାଖାପାଖି ୧୫ମିଟର ସାଇକେଲ ସହ ଘୋଷାରି ହୋଇଯାଇଥିବା ଦେଖିବାକୁ ମିଳିଛି । ଗୁରୁତର ଛାତ୍ର ଜଣକ ହେଲେ ଶିଶୁଆ ଅଞ୍ଚଳର ଅମୁଲ୍ୟ ଛାଟୋଇଙ୍କ ନବମ ଶ୍ରେଣୀରେ ପଡୁଥିବା ପୁତ୍ର ବଳରାମ ଛାଟୋଇ । ବଳରାମଙ୍କୁ ଗୁରୁତର ଅବସ୍ଥାରେ ସ୍ତାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ସାଲେପୁର ମେଡିକାଲକୁ ନିଆଯାଇଥିଲା। ସେଠାରୁ ଗୁରୁତର ଅବସ୍ଥାରେ ଛାତ୍ରକୁ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି ।

ଏନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସ୍ତାନୀୟଲୋକେ ମୋ ବସ୍ ଡ୍ରାଇଭର ଓ କଣ୍ଡକ୍ଟରକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ସୁଦ୍ଧା ଡ୍ରାଇଭର ଓ କଣ୍ଡକ୍ଟରକୁ ଉତ୍ୟକ୍ତ ଲୋକେ ଛାଡି ନଥିଲେ । ଉଚ୍ଚ କତୃପକ୍ଷ ଆସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ଲୋକେ। ଏହି ଘଟଣାକୁ ନେଇ କିଛି ସମୟ ପାଇଁ ରାସ୍ତା ରୋକ କରିଥିଲେ ସ୍ଥାନିୟ ଲୋକ ।