ଆଜିଠୁ ଖୋଲିବ ଏକାଦଶ ଶ୍ରେଣୀ, ଅଭିଭାବକଙ୍କ ସମ୍ମତିରେ ପଢ଼ିବାକୁ ଆସିବେ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ଖୋଲିବ ଏକାଦଶ ଶ୍ରେଣୀ। କୋଭିଡ୍‌ କଟକଣା ଭିତରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି। କଣ୍ଟେନମେଣ୍ଟ ଜୋନରେ ଥିବା କୌଣସି ଶିକ୍ଷକ, ଛାତ୍ରଛାତ୍ରୀଙ୍କ ସ୍କୁଲ ଆସିବାକୁ ବାରଣ କରାଯାଇଛି । ଶ୍ରେଣୀ ଗୃହରେ ଚୌକି, ବେଞ୍ଚ, ଲାଇବ୍ରେରୀ, ଲାବୋରୋଟୋରୀ, ଟଏଲେଟ ଆଦିକୁ ବିଶୋଧନ କରାଯାଇଛି । ଶ୍ରେଣୀଗୃହ ଭିତରେ ବସିବା ବ୍ୟବସ୍ଥା, ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ଭିନ୍ନ ଭିନ୍ନ ସମୟ ବ୍ୟବଧାନ ସ୍ଥିର କରିବା ସହ  ଶାରୀରିକ ଦୂରତ୍ବ ରକ୍ଷା ନିମନ୍ତେ ସୁନିଶ୍ଚିତ ହେବାକୁ ଦୃଷ୍ଟି ଦିଆଯାଇଛି । ଏହାସହ ଶ୍ରେଣୀରେ ପାଠପଢ଼ା ସମୟରେ ମାସ୍କ୍ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି।

ପିଇବା ପାଣି, ସାନିଟାଇଜେସନର ପର୍ଯ୍ୟାପ୍ତ ସୁବିିଧା ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାଙ୍କୁ ସ୍କୁଲକୁ ନେବା ଆଣିବା ଦାୟିତ୍ୱ ଅଭିଭାବକମାନେ ତୁଲାଇବେ । ସ୍କୁଲକୁ ଆସିବାକୁ ସମସ୍ତଙ୍କୁ ବାଧ୍ୟତାମୂଳକ ନୁହେଁ । ଅଭିଭାବକଙ୍କ ସମ୍ମତିରେ ପଢ଼ିବାକୁ ଆସିବେ ଛାତ୍ରଛାତ୍ରୀ । ଏବେ କେବଳ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫଲାଇନ କ୍ଲାସ ହେଉଛି ।

ତେବେ ସ୍କୁଲ ଖୋଲିବା ନିମନ୍ତେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ‘ଏସ୍‌ଓପି’ ଜାରି କରିଥିଲେ  । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶଙ୍କ ଟୁଇଟ ଜରିଆରେ ଏହା ଘୋଷଣା କରିଥିଲେ । ତେବେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସେମାନଙ୍କର ନିଜର ‘ଏସ୍‌ଓପି’ ପ୍ରସ୍ତୁତ କରି ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଧ୍ୟାନ ଦେଇ ସ୍କୁଲ୍‌ ଖୋଲି ପାରିବେ ବୋଲି କହିଥିଲେ ।

ନିକଟରେ କେନ୍ଦ୍ର ସରକାର ଜାରି କରିଥିବା ଶେଷ (ଅନ୍‌ ଲକ୍‌ ୫.୦)ଗାଇଡ୍‌ଲାଇନ୍‌ ଅନୁଯାୟୀ ଛାତ୍ରଛାତ୍ରୀ ଚାହିଁରେ ଅନ୍‌ଲାଇନ୍‌ କ୍ଲାସ ନେଇପାରିବେ । ସ୍କୁଲ ଆସିବା ବାଧ୍ୟତାମୂଳକ ନୁହେଁ ବୋଲି କହିଥିଲେ । ତେବେ ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ କହିଥିଲେ । ତେବେ ପିଲାମାନେ ବାପା-ମା’ଙ୍କ ଅନୁମତି ନେଇ ସ୍କୁଲ ଆସିପାରିବେ । ଯେଉଁମାନେ ସ୍କୁଲ୍‌ ନଆସିବେ ସେମାନଙ୍କର ଆଟେଣ୍ଡାନ୍ସରେ କୋହଳ କରାଯିବ ବୋଲି ଗାଇଡଲାଇନ୍‌ରେ କୁହାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.