ଡାକ୍ତର ହେବେ ବଣ୍ଡାଘାଟି ଯୁବକ ମଙ୍ଗଳା ମୁଦୁଲି, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ମଙ୍ଗଳା ମୁଦୁଲିଙ୍କୁ ଶୁଭେଚ୍ଛା । କୃତକାର୍ଯ୍ୟ ପରେ ମଙ୍ଗଳା ମୁଦୁଲିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ‘X’ରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି । ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ବଣ୍ଡାଘାଟିର ପ୍ରତିଭାଶାଳୀ ମଙ୍ଗଳା ମୁଦୁଲି ପ୍ରଥମ ପ୍ରୟାସରେ ସଫଳତାର ସହ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ମଙ୍ଗଳାଙ୍କ ଦୃଢ ଇଚ୍ଛା ଶକ୍ତି ଏବଂ କଠିନ ପରିଶ୍ରମରୁ ସେ ଏହି ସଫଳତା ପାଇଛନ୍ତି । ବ୍ରହ୍ମପୁର MKCG ହସ୍ପିଟାଲରେ ଡାକ୍ତରୀ ପଢ଼ିବେ ମଙ୍ଗଳା । ତାଙ୍କର ଏହି ସଫଳତା ନିଶ୍ଚୟ ଅନ୍ୟଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ଡାକ୍ତର ହେବେ ବଣ୍ଡାଘାଟି ଯୁବକ ମଙ୍ଗଳା ମୁଦୁଲି । ପ୍ରଥମ ଚେଷ୍ଟାରେ ୨୦୨୪ ନିଟ୍ କ୍ଲିୟର କରି ଇତିହାସ ସୃଷ୍ଟି କଲେ । ମଙ୍ଗଳା ବଣ୍ଡାଘାଟିର ପ୍ରଥମ ଛାତ୍ର ଯିଏକି ଡାକ୍ତର ହେବାକୁ ଯାଉଛନ୍ତି । ମାଲକାନଗିରି ଖଇରପୁଟ ବ୍ଲକ ମଦୁଲିପଡା ପଞ୍ଚାୟତ ବଡବେଲ ଗାଁର ହାଡୁ ମୁଦୁଲିଙ୍କ ପୁଅ ମଙ୍ଗଳା ମୁଦୁଲି । ମଙ୍ଗଳା ପ୍ରଥମ ଆଟେମ୍ପଟ୍ ରେ ହିଁ ୨୦୨୪ ନିଟ୍ କ୍ଲିଅର କରି ଏବେ ଚର୍ଚ୍ଚାରେ ରହିଛନ୍ତି ।
ସ୍ବାଭାବିକ ଜୀବନ ଶୈଳୀ ଠାରୁ ବଣ୍ଡାଘାଟିରେ ପରିସ୍ଥିତି କିଛି ଅଲଗା । ଏହି ସଫଳତା ପାଇଁ ବଣ୍ଡାଘାଟି ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଉତ୍କଳ କେଶରୀ ଦାସଙ୍କୁ ସେ ଶ୍ରେୟ ଦେଇଛନ୍ତି । ଯୁକ୍ତ ୨ ପରେ ଶିକ୍ଷକ ତାଙ୍କୁ ବାଲେଶ୍ବରର ଏକ କୋଚିଂ ସେଣ୍ଟରରେ ତାଲିମ ନେବାରେ ସହଯୋଗ କରିଥିଲେ । ଏବେ ତାଙ୍କ ସଫଳତା ପାଇଁ ବଣ୍ଡାଘାଟିରେ ଖୁସିର ଲହରୀ ଖେଳିଯାଇଛି ।