ଅଳ୍ପକେ ବର୍ତ୍ତିଲେ ଦୁଇ ନେତା : ମୁଖ୍ୟମନ୍ତ୍ରୀ ଓ ନବ ଦାସ

ଝାରସୁଗୁଡ଼ା(କେନ୍ୟୁଜ୍) :  ଗତକାଲି ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଚାର୍ଟର ପ୍ଲେନ୍‌ରେ ଯାଇ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଅବତରଣ କରିଥିଲେ । ସେଠି କିଛି ଦଳୀୟ ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ତାପରେ ସେଠାରୁ ହେଲିକପ୍ଟର ଯୋଗେ ଏକ କାର୍ଯ୍ଯକ୍ରମରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ କୋଲାବିରା ବାହାରିଥିଲେ । ଠିକ୍‌ ଏତିକି ବେଳେ ବିମାନବନ୍ଦରରୁ ଭୁବନେଶ୍ୱର ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା ବିଧାୟକ ନବ ଦାସଙ୍କ ହେଲିକପ୍ଟର । କିଭଳି ବିପଦପୂର୍ଣ୍ଣ ଭାବେ ଉଭୟ ହେଲିକପ୍ଟର ପାଖାପାଖି ଅଛନ୍ତି । ଅଳ୍ପ ସମୟ ଆକାଶମାର୍ଗରେ ରହିବା ପରେ ବିଧାୟକଙ୍କ ହେଲିକପ୍ଟର ଅବତରଣ କରିଥିଲା । ଚର୍ଚ୍ଚା ହେଉଛି ହେଲିକପ୍ଟର ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ।

ହେଲେ ଏବେ ପ୍ରଶ୍ନ ଉଠୁଛି ଏଭଳି ଘଟଣା କିପରି ଘଟିଲା । ମୁଖ୍ୟମନ୍ତ୍ରୀଙ୍କୁ ନେଇ ହେଲିକପ୍ଟର ଉଡ଼ାଣ ଆରମ୍ଭ କରିବା ସମୟରେ ଆଉ ଗୋଟିଏ ହେଲିକପ୍ଟର ଉଡ଼ିବାକୁ ଅନୁମତି କିପରି ମିଳିଲା । ଏ ନେଇ କଣ ରହିଛି ନିୟମ । ବିଧାୟକଙ୍କ ହେଲିକପ୍ଟର କେଉଁ ପରିସ୍ଥିତିରେ ଉଡ଼ାଣ ଆରମ୍ଭ କରିବା ପରେ ସଙ୍ଗେ ସଙ୍ଗେ ଅବତରଣ କରିବାକୁ ବାଧ୍ୟ ହେଲା । ଅବତରଣ ପାଇଁ କାହା ନିର୍ଦ୍ଦେଶ ରହିଥିଲା । ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟକ୍ରମ ପୂର୍ବ ନିର୍ଦ୍ଧାରିତ ଥିବା ବେଳେ କେଉଁଠି ରହିଲା ଫାଙ୍କ । ବିମାନବନ୍ଦରରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ନଥିଲା କି । ନା ବିମାନବନ୍ଧର କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏପରି ଘଟଣା ଘଟିଛି । ଏବେ ଏଭଳି ଅନେକ ପ୍ରଶ୍ନ ଉଠୁଛି । ଏ ନେଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଲୋଡ଼ାଯାଇଥିଲା । ହେଲେ ଏ ନେଇ କିଛି ଜାଣିନଥିବା କହିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ ।

You might also like