ବଦଳିବ ଶ୍ରୀଲୋକନାଥ ଓ ଅଲାରନାଥ ମନ୍ଦିର ରୂପରେଖ, ମାଷ୍ଟରପ୍ଲାନ୍‌କୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ପୁରୀ(କେନ୍ୟୁଜ୍): ନୂଆ ରୂପ ପାଇବ ପୁରୀ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠ । ମନ୍ଦିରର ମାଷ୍ଟରପ୍ଲାନ୍‌କୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଲୋକନାଥ ମନ୍ଦିର ପାଇଁ ୨୮କୋଟି ଓ ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥ ପୀଠ ପାଇଁ ୮କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ହୋଇଛି । ଉଭୟ ମନ୍ଦିରର ପୁନଃ ଉନ୍ନୟନ କାର୍ଯ୍ୟ ବର୍ଷେ ଭିତରେ ସରିବ । ଶ୍ରୀଲୋକନାଥ ମନ୍ଦିରର ମାଷ୍ଟରପ୍ଲାନ୍‌ ଅନୁଯାୟୀ, ମନ୍ଦିରର ଭିତର ବେଢ଼ା, ବାହାର ବେଢ଼ାର ଉନ୍ନତିକରଣ ହେବା ସହିତ ସେବାୟତ ଓ ଭକ୍ତଙ୍କ ବିଭିନ୍ନ ସୁବିଧାର ବ୍ୟବସ୍ଥା କରାଯିବ ।

ଏହାବ୍ୟତୀତ ପାର୍କିଂ, ଆଧୁନିକ ଧାଡ଼ି ପରିଚାଳନା ବ୍ୟବସ୍ଥା, ଆପ୍ରୋଚ ରୋଡ୍‌ର ଉନ୍ନତିକରଣ ଏବଂ ପଶ୍ଚିମ ଦ୍ୱାରରେ ସେବାୟତଙ୍କ ସୁବିଧା ପାଇଁ କରାଯିବ ପାର୍କିଂ ବ୍ୟବସ୍ଥା । ଶ୍ରୀଲୋକନାଥ ମନ୍ଦିର ଚତୁଃପାର୍ଶ୍ୱରେ ଉନ୍ନତିକରଣ ସହ ପାର୍କିଂ, ଆଲୋକୀକରଣ,ଭେଣ୍ଡିଂ ଜୋନ୍‌ ବ୍ୟବସ୍ଥା, ଶୌଚାଳୟର ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ବସିବା ପାଇଁ ସ୍ଥାନ, ମନ୍ଦିରର ପାଚେରୀ ଓ ଗେଟ୍‌, ସବୁଜିମା ବଳୟ ସୃଷ୍ଟି ହେବ । ସେହିପରି ବ୍ରହ୍ମଗିରିର ପ୍ରସିଦ୍ଧ ଶ୍ରୀଅଲାରନାଥ ପୀଠର ଭିତର ଓ ବାହାର ବେଢ଼ାର ବିକାଶ କରାଯିବ । ଏହାର ପ୍ରବେଶ ଦ୍ୱାରକୁ ପ୍ରଶସ୍ତ କରାଯାଇ ୪୦ ଫୁଟ୍‌ ଚଉଡ଼ା ଓ ୧୮ ଫୁଟ୍‌ ଉଚ୍ଚ କରାଯିବ । ମନ୍ଦିରକୁ ଯାଇଥିବା ରାସ୍ତାକୁ ୪୦ ଫୁଟ ଚଉଡା କରାଯିବା ସହ ଦୁଇପଟେ କରାଯିବ ଡ୍ରେନେଜ୍‌ ବ୍ୟବସ୍ଥା । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଲୋକନାଥ ମନ୍ଦିର ଓ ଅଲାରନାଥ ମନ୍ଦିର ଗସ୍ତ କରିଥିଲେ ଫାଇଭ-ଟି ସଚିବ ଭି. କେ. ପାଣ୍ଡିଆନ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.