ଆଜିଠୁ ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ : ଆଜିଠୁ ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୪ଟି ରାଷ୍ଟ୍ରର ରାଷ୍ଟ୍ରଦୂତ ଉପସ୍ଥିତ ଅଛନ୍ତି । ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ଲେଜର ଲାଇଟ, ଡ୍ରୋନ ସୋ, ବଲିଉଡ ନାଇଟ, ପୂର୍ବ ବର୍ଷ ଭଳି କଟକ ଇନ କଟକ ଥିବା ବେଳେ ତା ଭିତରେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆ ରହିଛି ।

ଓଡ଼ିଆ ସିନେମାର ୫୦ ବର୍ଷର କ୍ରମବିକାଶ ଏଥିରେ ସ୍ଥାନ ପାଇବ। ତଳ ପଡିଆରେ ୩୪ ଏକର ଓ ଉପର ପଡିଆରେ ୮ ଏକର ପରିମିତ ଜମିରେ ଆୟୋଜିତ ହୋଇଛି ବାଲିଯାତ୍ରା । ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ପ୍ରତ୍ୟେକ ସନ୍ଧ୍ୟାରେ । ସୋନୁ ନିଗମ, ଅନୁପ ଜଲୋଟା, ସୁରେଶ ୱାଡେକରଙ୍କ ଠାରୁ ଆରମ୍ଭ କରି ଅନେକ ଓଲିଉଡ କଳାକାର ଯୋଗ ଦେବେ।

କଟକ ଇନ କଟକ ପାର୍ଶ୍ୱରେ ହଲିଉଡ଼ ସିନେମା ଅବତାର ଶୈଳୀରେ ନିର୍ମିତ ଅନନ୍ତ ଦୁନିଆ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ବିଦେଶରୁ ଆସୁଥିବା ଅତିଥିଙ୍କ ପାଇଁ ଆୟୋଜିତ ହୋଇଛି ପିଠା ଉତ୍ସବ। ଏଥିରେ ଓଡ଼ିଆ ଘରର ପିଠା ପୋଡ଼ ପିଠା, ମଣ୍ଡା ପିଠା, ଆରିସା ପିଠା, ଛେନା କାକରା ଆଦି ସ୍ଥାନ ପାଇଛି।ଏଥର ଉପର ଓ ତଳ ବାଲିଯାତ୍ରା ପଡିଆରେ ମୋଟ ୨୫ଶହ ଛୋଟ ବଡ ଷ୍ଟଲ ହେଉଛି । ୮ ଦିନରେ କିଣାବିକାର ଆସର ସାଙ୍ଗକୁ ବୁଲାବୁଲି ଓ ସୁସ୍ବାଦୁ ଖାଦ୍ଯର ମଜା ନେବେ ପ୍ରାୟ ୬୦ରୁ ୭୦ ଲକ୍ଷ ପର୍ଯ୍ୟଟକ । ସୁରକ୍ଷା ପାଇଁ ୭୦ ପ୍ଲାଟୁନ ଫୋର୍ସ ଉଭୟ ପଡିଆ ଓ ଟ୍ରାଫିକ ପୋଷ୍ଟରେ ନିୟୋଜିତ ହୋଇଛନ୍ତି ।

You might also like