ପାର୍ବଣରେ ସରଗରମ ହେବ ରାଜନୀତି: ଆଜିଠୁ ପୂଜାମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପୂଜାରେ ରାଜନୀତି ମଇଦାନ ଜମିବ । କାରଣ ଆଜିଠୁ ୩ଦିନ ବିଭିନ୍ନ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ । ପୁରୁଣା ପୂଜା ଅନୁଷ୍ଠାନକୁ ଯାଇ ମାଙ୍କ ଦର୍ଶନ କରିବେ ଓ ଲୋକଙ୍କୁ ଭେଟିବେ । ତାସହ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମଧ୍ୟ ପୂଜା ମଣ୍ଡପ ବୁଲିବେ । ଭୁବନେଶ୍ୱର, କଟକ ସହ ନିଜ ଜିଲ୍ଲା କେନ୍ଦୁଝରରେ ବିଭିନ୍ନ ମଣ୍ଡପ ବୁଲି ମା ଦୁର୍ଗାଙ୍କୁ ଦର୍ଶନ ସହ ଆର୍ଶୀବାଦ ନେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେବଳ ମୁଖ୍ୟମନ୍ତ୍ରୀ ନୁହେଁ, ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଦୁର୍ଗାପୂଜା ପୂଜା ମଣ୍ଡପ ବୁଲିବେ । ଏହାକୁ ନେଇ ବିଜେପି ଓ ବିଜେପି ଶିବିରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ ଆଜି ଦିନ ୧୧ ଟାରୁ ୨ଟା ୩୦ ଯାଏଁ ଭୁବନେଶ୍ୱରର ବିଭିନ୍ନ ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ । ବରମୁଣ୍ଡା, ନୟାପଲ୍ଲୀ, ଶହୀଦନଗର ଓ ଲକ୍ଷ୍ମୀସାଗରର ବିଭିନ୍ନ ପୂଜାମଣ୍ଡପ ବୁଲି ମାଆଙ୍କ ଆଶିଷ ଗ୍ରହଣ କରିବେ। ୧୨ ତାରିଖରେ ମୁଖ୍ୟମନ୍ତ୍ରୀ କଟକର ବିଭିନ୍ନ ପୂଜାମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୧୧ ତାରିଖ ମହାଷ୍ଟମୀରେ ସକାଳ ସାଢ଼େ ୧୦ଟାରୁ ନବୀନ ନିବାସରୁ ବାହାରିବେ । ପ୍ରଥମେ ରସୁଲଗଡ଼ ପୂଜା ମଣ୍ଡପ ତା’ପରେ ସହିଦନଗର, ବଡ଼ଗଡ଼ ପୂଜା ମଣ୍ଡପ ଯାଇ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିବେ । ପରବର୍ତ୍ତୀ ଦିନମାନଙ୍କରେ ସେ ଉତ୍ତର ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି । ବିଭିନ୍ନ ମନ୍ତ୍ରୀମାନେ ମଧ୍ୟ ଏଥର ପୂଜା ମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦଶହରା ପୂଜା ମଣ୍ଡପ ବୁଲିବାକୁ ନେଇ ରାଜନୀତି ବଢ଼ିଛି । ସୂଚନାଯୋଗ୍ୟ ଯେ ନବୀନ ପ୍ରତିବର୍ଷ ରାଜଧାନୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲି ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି କାମନା କରିଥାନ୍ତି ।