ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ଓ ଟିମ୍
ନୂଆଦିଲ୍ଲୀରେ ଓଡିଶାର ବିକାଶ ନେଇ ଆଲୋଚନା । ଗସ୍ତର ତୃତୀୟ ଦିନରେ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ସାକ୍ଷାତ କରିଛନ୍ତି ଟିମ୍ ମୋହନ । ତିନି ଦିନ ଧରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବହୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବାକୁ କାର୍ଯ୍ୟ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗସ୍ତ କାଳରେ ସାମଗ୍ରିକ ଓଡ଼ିଶାର ବିକାଶ ପାଇଁ ରୋଡମ୍ୟାପ ପ୍ରସ୍ତୁତ ହୋଇଥିବା କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।
ସାକ୍ଷାତ କାଳରେ ଓଡ଼ିଶାରେ ବିଜେପି ସରକାର ଗଠନ ନେଇ ନଡ୍ଡାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିବା ଜଣାପଡ଼ିଛି। ଏହା ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ। ନିର୍ବାଚନ ବେଳେ ଉଭୟ ଜେପି ନଡ୍ଡା ଓ ଏସ ଜୟଶଙ୍କର ଆସି ଓଡିଶାରେ ମାରାଥନ ପ୍ରଚାର କରିଥିଲେ। ସାକ୍ଷାତ ପରେ ମୋହନ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିଥିଲେ।
ସକାଳେ ଜାତିର ପିତା ମହାତ୍ମା ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଟିମ୍ ମୋହନ । ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କ ସମାଧୀସ୍ଥଳରେ ପୁଷ୍ପଅର୍ପଣ କରିଥଲେ ମୋହନ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ । ପରେ ସଦୈବ ଅଟଳରେ ଅଟଳବିହାରୀ ବାଜପେୟୀଙ୍କ ସମାଧୀସ୍ଥଳରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
୩ ଦିନିଆ ଗସ୍ତରେ ନୂଆଦିଲ୍ଲୀରେ ଟିମ୍ ମୋହନ । ଗସ୍ତ କାଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କୁ ଭେଟି ଆଲୋଚନା କରିଛନ୍ତି । ଆଲୋଚନା କାଳରେ ସାମଗ୍ରିକ ଓଡ଼ିଶାର ବିକାଶ ପାଇଁ ରୋଡମ୍ୟାପ ପ୍ରସ୍ତୁତ ହୋଇଥିବା କହିଛନ୍ତି ଉପପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ଓଡିଶାରେ ପ୍ରଥମ ଥର ବିଜେପି କ୍ଷମତାକୁ ଆସିଛି। ଦାୟିତ୍ବ ଗ୍ରହଣ ପରେ ପ୍ରଥମ ଥର ନୂଆଦିଲ୍ଲୀ ଗସ୍ତ କରି କେନ୍ଦ୍ର ନେତୃବୃନ୍ଦଙ୍କୁ ଭେଟି ରାଜ୍ୟର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି।