କଟକ : ରାଗିଗଲେ ମୁଖ୍ୟମନ୍ତ୍ରୀ । ବାଲିଯାତ୍ରା ଉଦଘାଟନ କାର୍ଯ୍ୟକ୍ରମ ଅବସରରେ ଡଙ୍ଗାରେ ଆସି ଗଡ଼ଗଡ଼ିଆ ଘାଟରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ତାଙ୍କୁ ଘାଟରେ ସାଧବ ବୋହୁ ଓ ସାଧବ ପୁଅ ମାନେ ବନ୍ଦାପନା କରିଥିଲେ । ଏହାପରେ ସେଠାରେ ମୁଖ୍ୟମନ୍ତ୍ରୀ ଡଙ୍ଗା ଭସାଇଥିଲେ । ପରେ ସେହି ଘାଟରୁ ମୁଖ୍ୟମନ୍ତ୍ରୀ ଇଲେକ୍ଟ୍ରିକ ଗାଡିରେ ପାଭିଲିୟନ ଯିବାର ଆୟୋଜନ ହୋଇଥିଲା । ହେଲେ ଗୋଟିଏ ବ୍ୟାଟେରୀ ଗାଡିରେ ଅତିଥିଙ୍କ ସଂଖ୍ଯା ବଢିଯାଇଥିବାରୁ ବସିବା ପାଇଁ ସ୍ଥାନ ନଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ବିରକ୍ତି ପ୍ରକାଶ କରି ଗାଡିରୁ ଓହ୍ଲାଇପଡ଼ିଥିଲେ । ପରେ ସେଠାରୁ ଚାଲି ଚାଲି ଆସି ପାଭିଲିୟନରେ ପହଞ୍ଚିଥିଲେ ।
ଅନ୍ୟପଟେ ବାଲିଯାତ୍ରାରେ କଟକର ପ୍ରସିଦ୍ଧ ଦହିବାର ଖାଇଥିଲେ ମୁଖ୍ୟମନ୍ତ୍ରୀ । ଏପରିକି ମଞ୍ଚରେ କଟକ ଦହିବାରର ପ୍ରଶଂସା ମଧ୍ୟ କରିଥିଲେ । କେବଳ ସେତିକି ନୁହେଁ ଅତୀତରେ କଟକ ଦହିବାର ଖାଇବା ସହ ନିଜ ଘରକୁ ଦହିବାର ନେବା କଥା ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ।