ଧାନ କିଣାବେଳେ ସିଲ୍‌ ହେବ ପଡ଼ୋଶୀ ରାଜ୍ୟ ସୀମା, ବାହାର ରାଜ୍ୟ ଚାଷୀ କରିପାରିବେନି ବିକ୍ରି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱେର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଖରିଫ୍‌ ଧାନ କିଣା ସଂକ୍ରାନ୍ତରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟରେ ଧାନ କିଣାବେଳେ ପଡ଼ୋଶୀ ରାଜ୍ୟ ସୀମା ସିଲ୍‌ କରିବାକୁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏପରିକି ରାଜ୍ୟ ବାହାର ଚାଷୀ ଓଡ଼ିଶାରେ ଧାନ ବିକ୍ରି କରିପାରିବେ ନାହିଁ ବୋଲି ବୈଠକରେ କୁହାଯାଇଛି । ଏପରିକି ମଣ୍ଡିରେ ଚାଷୀଙ୍କ ଧାନର ମାନ ଥରୁଟିଏ ଯାଞ୍ଚ କରାଯିବ। ଏହା ପୂର୍ବରୁ ମଣ୍ଡି ଓ ମିଲ୍‌ରେ ଧାନର ମାନ ଯାଞ୍ଚ ହେଉଥିଲା ।

ଧାନ କିଣା ସମୟରେ ପ୍ରତି ମଣ୍ଡିରେ ଜଣେ ଲେଖାଏଁ ପ୍ରାଧିକୃତ ଅଧିକାରୀ ରହିବେ । ଏକାଧିକ ଧାନ ମଣ୍ଡିକୁ ନେଇ ଜୋନ ତିଆରି ହେବ ଏବଂ ପ୍ରତି ଜୋନରେ ଜଣେ ଲେଖାଏଁ ସୁପରଭାଇଜର ରହିବେ । ଯୋଗାଣ, ସମବାୟ, ପୁଲିସ ପ୍ରଶାସନ ଓ ଜିଲ୍ଳା ପ୍ରଶାସନର ଅଧିକାରୀମାନେ ଦାୟିତ୍ୱରେ ରହିବେ । ଆବଶ୍ୟକ ପଡିଲେ ପଞ୍ଚାୟତିରାଜ ବିଭାଗର ଅଧିକାରୀମାନଙ୍କୁ ମଧ୍ୟ ନିୟୋଜିତ କରାଯିବ। ଟୋକନ ବିଷୟରେ ସମସ୍ତ ନିଷ୍ପତି ଜିଲ୍ଲାପାଳ ନେଇ ପାରିବେ । ପ୍ରତି ମନ୍ତ୍ରୀଙ୍କୁ ଦୁଇରୁ ତିନୋଟି ଜିଲ୍ଲାର ଦାୟିତ୍ୱ ଦିଆଯିବ । ଏପରିକି ଚାଷୀଙ୍କ ଧାନ କିପରି ସୂଚାରୁ ରୂପେ କିଣାହେବ ସେନେଇ ବୈଠକରେ ଆଲୋଚନା କରାଯାଇଛି । ସମ୍ପୃକ୍ତ ଜିଲାର ଜିଲାପାଳ ଧାନ କିଣିବା ସମୟ ସୀମା ବଢ଼ାଇ ପାରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏପରିକି ମଣ୍ଡିଗୁଡିକୁ ଆଧୁନିକୀକରଣ କରାଯିବ। ଏନେଇ ୫୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବୈଠକରେ କୁହାଯାଇଛି।

ସେହିପରି ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି, ଧାନ କିଣା ନେଇ ସରକାର ବଡ଼ ଲକ୍ଷ୍ୟ ରଖିଛନ୍ତି। ପଡୋଶୀ ରାଜ୍ୟର ଚାଷୀ ଓଡ଼ିଶାକୁ ଆସି କେମିତି ଧାନ ବିକ୍ରି ନକରିବେ ସେ ନେଇ ଧ୍ୟାନ ରାଜ୍ୟ ସରକାର ଦେଉଛନ୍ତି। ସୀମା ସିଲ କରାଯାଇ ଅନ୍ୟ ରାଜ୍ୟର ଚାଷୀ କେମିତି ଓଡ଼ିଶାକୁ ନଆସିବେ ସେଥିପାଇଁ ଯୋଜନା କରାଯିବ। ଧାନ ମଣ୍ଡି ଆଧୁନିକୀକରଣ କରିବା ପାଇଁ ସମବାୟ, କୃଷି ଓ ଯୋଜନା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷାରେ ଓଦା ହୋଇ ଧାନ ନଷ୍ଟ ନହେବା ପାଇଁ ମଣ୍ଡିରେ ବ୍ୟବସ୍ଥା କରାଯିବ। ମଣ୍ଡିରେ ଚାଷୀଙ୍କୁ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯିବ। ଧାନ ଓଜନ ପାଇଁ ଆଧୁନିକ ମେସିନ ବ୍ୟବସ୍ଥା କରାଯାଇଛି। କଟନୀ ଛଟନୀ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି।

You might also like