ରଥଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ସଫେଇ କାର୍ଯ୍ୟକ୍ରମ, ଝାଡ଼ୁ ମାରି ସଫା କଲେ ମୁଖ୍ୟମନ୍ତ୍ରୀ
ପୁରୀ : ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ବଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ । ବଡ଼ଦାଣ୍ଡ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବିଭିନ୍ନ ସ୍ବେଛାସେବୀ ସଙ୍ଗଠନ ସହ ମିଶି ରଥ ଦାଣ୍ଡରେ ସେ ସଫେଇ କରୁଛନ୍ତି । ଏହି କାର୍ଯ୍ୟକ୍ରମ ରେ ଆଇନ ମନ୍ତୀ ପୃଥ୍ବୀରାଜ ହରିଚନ୍ଦନ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ବିଧାୟକ ମନ୍ତ୍ରୀ ସାମିଲ ଅଛନ୍ତି । ଆସନ୍ତାକାଲି ମହାପ୍ରଭୁଙ୍କ ଘୋଷ ଯାତ୍ରା ଅନୁଷ୍ଠିତ ହେବ । ଏହା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ସଫେଇ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, କାଲି ବଡ଼ଦାଣ୍ଡକୁ ଆସିବେ ମହାପ୍ରଭୁ ଜଗନ୍ନାଥ, ମହାପ୍ରଭୁ ବଡ଼ଦାଣ୍ଡକୁ ଆସିବା ପୂର୍ବରୁ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଛି । ସ୍ବଚ୍ଛତା ଓ ସଚେତନତା ପାଇଁ ଏହି ସଫେଇ କାର୍ଯ୍ୟକ୍ରମର ଗୁରୁତ୍ବ ରହିଛି । ଏହି ଅବସରରେ ସେ ପ୍ଲାଷ୍ଟିକ ଜରି ବ୍ୟବହାରରୁ ନିବୃତ୍ତ ରହିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ସେହିପରି ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ବଡ଼ଦାଣ୍ଡରୁ ଶରଧାବାଲି ଯାଏ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ବିରଳ ଘଟଣା ସାରା ବିଶ୍ବରେ ଆଲୋଚନାର ବିଷୟ ହେବ ।
ସେପଟେ ରଥଯାତ୍ରା ଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଭକ୍ତଙ୍କ ଲାଗିଲାଣି ଗହଳି ଚହଳି । ଆଜି ଶ୍ରୀ ମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ପଟି ଦିଅଁଙ୍କ ନିକଟରୁ ତିନୋଟି ଆଜ୍ଞା ମାଳ ରଥ ଖଳାକୁ ବିଜେ କରିବା ପରେ ତିନି ରଥକୁ ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ଟଣା ଯାଇ ନିଆଯିବ । ପୋଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ୩ ରଥକୁ ସିଂହଦ୍ବାର ଚକଡ଼ାକୁ ଟାଣି ନେଇ ଉତ୍ତର ମୋଡ଼ ଦେବେ। ଘୋଷ ଯାତ୍ରା ଲାଗି ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ । ରଥଯାତ୍ରା ପାଇଁ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ସୁରକ୍ଷା ବ୍ଲାଙ୍କେଟ ଓ ସିସିଟିଭି ସୁରକ୍ଷା ବଳୟରେ ରହିବ ଶ୍ରୀକ୍ଷେତ୍ର। ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ। ଜନଗହଳି ନିୟନ୍ତ୍ରଣ ପାଇଁ ବଡଦାଣ୍ଡ ୬ଟି ଜୋନରେ ବିଭକ୍ତ ହୋଇଛି।