ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଶପଥପାଠ କରାଇଲେ କାମଚଳା ବାଚସ୍ପତି

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେଉଛନ୍ତି । ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ଓ ପ୍ରଭାତୀ ପରିଡା ମଧ୍ୟ ବିଧାନସଭାରେ ବିଧାୟକ ଭାବେ ଶପଥଗ୍ରହଣ କରିଛନ୍ତି । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମସ୍ତଙ୍କୁ ଶପଥପାଠ କରାଇଛନ୍ତି । ସନ୍ଧ୍ୟା ୫ଟା ଯାଏଁ ଶପଥ ପାଠ ଚାଲିବ। ଆଜି ଓ ଆସନ୍ତାକାଲି ଦୁଇ ଦିନ ବିଧାୟକଙ୍କ ମାନେ ଶପଥ ଗ୍ରହଣ କରିବେ। ଏହାପରେ ୨୦ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ତିନି ଦିନିଆ ଅଧିବେଶନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ତିନି ଦିନିଆ ଅଧିବେଶନ ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ପାସ୍ ଧାରୀ ଗୃହ ମଧ୍ୟକୁ ପ୍ରବେଶ କରି ପାରିବେ। ସୁରକ୍ଷା ଦାୟିତ୍ବରେ ରହିବେ ପୋଲିସ କମିଶନର । ସୁରକ୍ଷା କାର୍ଯ୍ୟରେ ୭୫ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୋଲିସ ନିୟୋଜିତ ରହିବେ ।  ଯଦିଓ ଏହି ସମୟରେ କୌଣସି ସଂଗଠନ, ରାଜନୈତିକ ଦଳ, ସଂସ୍ଥା ପକ୍ଷରୁ ପ୍ରତିବାଦ ସଭା କି ଧାରଣା କି ବିକ୍ଷୋଭ ପ୍ରଦର୍ଶନ ହେବ ନାହିଁ, ତେବେ ସମସ୍ତ ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ କମିସନରେଟ୍‌ ପୋଲିସ ନିଜକୁ ପ୍ରସ୍ତୁତ ରଖିବା ସହ ସଜାଗ ରହିଛି ।

Leave A Reply

Your email address will not be published.