ଭୁବନେଶ୍ୱର : ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ରତ୍ନଭଣ୍ଡାର ଖୋଲାଯାଇଛି । ପ୍ରଥମେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଥିବା ସୂଚନା ମିଳିଛି। ଆଜି କେବଳ ରତ୍ନଭଣ୍ଡାର ଯାଞ୍ଚ ହେବ। ରତ୍ନ ଅଳଙ୍କାର ଗଣତି ହେବନାହିଁ । ରତ୍ନଭଣ୍ଡାର ଖୋଲିବା ନେଇ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଟ୍ୱିଟ୍ କରି ଲେଖିଛନ୍ତି, ହେ ମହାପ୍ରଭୁ ତୁମେ ଲୀଳାମୟ । ତୁମ ଇଚ୍ଛାରେ ଏ ସାରା ସଂସାର ଆତଯାତ ହେଉଛି। ତୁମେ ଓଡ଼ିଆ ଜାତିର ହୃତ୍ ସ୍ପନ୍ଦନ । ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ଶ୍ରେଷ୍ଠ ପରିଚୟ ।
ତୁମ ଇଚ୍ଛାରେ ଓଡ଼ିଆ ଜାତି ଆଜି ତାର ଅସ୍ମିତାର ପରିଚୟକୁ ନେଇ ଆଗକୁ ବଢ଼ିବାକୁ ଉଦ୍ୟମ ଆରମ୍ଭ କରିଛି। ତୁମ ଇଚ୍ଛାରେ ପ୍ରଥମେ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିଲା । ତୁମ ଇଚ୍ଛାରେ ୪୬ ବର୍ଷ ପରେ ଆଜି ଏକ ମହତ୍ ଉଦ୍ଦେଶ୍ୟ ନେଇ ରତ୍ନ ଭଣ୍ଡାର ଖୋଲାଗଲା । ଏ ମହାନ୍ କାର୍ଯ୍ୟ ସଫଳ ହେବ ବୋଲି ମୋର ଦୃଢ଼ ବିଶ୍ୱାସ । ତୁମ ଆଶୀର୍ବାଦରେ ପ୍ରତ୍ୟେକ ଓଡ଼ିଆ ଜାତି, ଗୋଷ୍ଠୀ, ବର୍ଣ୍ଣ ଓ ସର୍ବୋପରି ରାଜନୀତିର ଭେଦକୁ ଭୁଲି ଆଧ୍ୟାତ୍ମିକ ଓ ଭୌତିକ ଜଗତରେ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିବାକୁ ଅଗ୍ରସର ହେଉ, ଏତିକି ପ୍ରାର୍ଥନା ।