ବାଣ ଦୁର୍ଘଟଣାର ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କ ପାଇଁ ଘୋଷଣା କଲେ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା

ଭୁବନେଶ୍ଵର : ବାଣ ଦୁର୍ଘଟଣାର ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ  । ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ମଧ୍ୟ ଘୋଷଣା କଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସମ ଅଲଟିମେଟ ହସ୍ପିଟାଲକୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ପୁରୀ ବାଣ ଦୁର୍ଘଟଣାର ଆହତମାନଙ୍କୁ ଭେଟିଥିଲେ । ସେମାନଙ୍କର ଚିକିତ୍ସା ବ୍ୟବସ୍ଥାରେ ରହିଥିବା ମୁଖ୍ୟ ଡାକ୍ତରମାନଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ ।

ପରେ ମୁଖ୍ୟମନ୍ତ୍ରୀ ଆହତମାନଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ପୁରୀ ବାଣ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହାର ତଦନ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର କରିବେ।

ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ମଧ୍ୟ ଘୋଷଣା କରିଛନ୍ତି। ପୁରୀ ବାଣ ଦୁର୍ଘଟଣାରେ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଗତକାଲି ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଯେ ଏହି ବାଣ ଦୁର୍ଘଟଣାରେ ୩ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି ।