ଓଡିଶାବାସୀ ପାଇବେ ଗୁଣାତ୍ମକ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ, ୭ଟି ବିଦ୍ୟୁତ ପ୍ରକଳ୍ପର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ୭ଟି ବିଦ୍ୟୁତ ପ୍ରକଳ୍ପର ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ ୬ଟି ଉଚ୍ଚ ଶକ୍ତି ସଂପନ୍ନ ଗ୍ରୀଡ ସବଷ୍ଟେସନ ଓ ଗୋଟିଏ ୨୨୦ କେଭି ଟ୍ରାନସମିଶନ ଲାଇନ ପାଇଁ ୪୫୦ କୋଟି ଟଙ୍କାର ବିନିଯୋଗ ହୋଇଛି । ଲୋକଙ୍କୁ ଗୁଣାତ୍ମକ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ଯୋଗାଇ ଦେବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ନୂଆ ବ୍ୟବସ୍ଥା ଦ୍ୱାରା କଳାହାଣ୍ଡି, ରାୟଗଡା, ନବରଂଗପୁର, କେନ୍ଦୁଝର, ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାର ଚାଷୀ, ଛାତ୍ରଛାତ୍ରୀ ଓ ମା’ ମାନେ ବିଶେଷ ଉପକାର ପାଇବେ ।

ଜନସାଧାରଣଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୩ ହଜାର ୮୦୦ କୋଟି ଟଙ୍କା ବ୍ୟୟ ଅଟକଳରେ Odisha Distribution System Strengthening Project ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୪୩୦ଟି ୩୩/୧୧ କେଭି ସବଷ୍ଟେସନ କାର୍ଯ୍ୟକାରୀ ହୋଇଛି । ରାଜ୍ୟରେ ଲୋ-ଭୋଲଟେଜ ସମସ୍ୟା ଦୂର କରିବା ପାଇଁ ସରକାର ଏହି ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ୧୮୦୦ କୋଟି ଟଙ୍କା ବ୍ୟୟ ଅଟକଳ କରିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ନବୀନ କହିଛନ୍ତି ବିଦ୍ୟୁତ ହେଉଛି ବିକାଶର ଜୀବନରେଖା । ପାଣି ପରି ବିଦ୍ୟୁତ ଆଜି ସମସ୍ତଙ୍କ ପାଇଁ ଖୁବ ଜରୁରୀ । ତେଣୁ ବିଦ୍ୟୁତ ଶକ୍ତି ଅପଚୟ ନ କରି ଏହାର ଉଚିତ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

 

 

Leave A Reply

Your email address will not be published.