ଭୁବନେଶ୍ୱରର ଏହି ସବୁ ରୁଟ୍ ଦେଇ ଚାଲିବ ମେଟ୍ରୋ ଟ୍ରେନ୍, ୪ ବର୍ଷରେ ସରିବ କାମ
ଭୁବନେଶ୍ୱରରେ ଗଡି଼ବାକୁ ଥିବା ମେଟ୍ରୋ ଟ୍ରେନ୍ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ବାହାରି କଟକ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଚଳାଚଳ କରିବ ବୋଲି ଜଣାପଡିଛି ।
ଭୁବନେଶ୍ୱର(କେନ୍ୟୁଜ୍): ନୂଆବର୍ଷରେ ମେଟ୍ରୋ ପ୍ରକଳ୍ପ ପାଇଁ ଶୁଭ ପଡ଼ିବ । ଜାନୁଆରୀ ୧ ତାରିଖରେ ମେଟ୍ରୋ ପ୍ରୋଜେକ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ ବର୍ଷ ଭିତରେ ପ୍ରକଳ୍ପ ସରିବ । ଫାଇଭ୍ ଟି ଅଧୀନରେ ନିର୍ମାଣ ହେବ ମେଟ୍ରୋ ପ୍ରକଳ୍ପ । ପ୍ରଥମ ପର୍ଯ୍ୟାୟରେ ତ୍ରିଶୁଳିଆରୁ ଭୁବନଶ୍ବର ଏୟାରପୋର୍ଟ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବ । ୨୦ଟି ଷ୍ଟେସନରେ ରହଣି ବ୍ୟବସ୍ଥା ହେବ ।
ଭୁବନେଶ୍ୱର ମେଟ୍ରୋ ଟ୍ରେନ୍ ଡିପିଆରକୁ ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ଭାବରେ ଅନୁମୋଦନ ଦେଇଛନ୍ତି । ଏହି ପ୍ରକଳ୍ପରେ ଖର୍ଚ୍ଚ ହେବ ମୋଟ୍ ୫ହଜାର ୯୨୯ କୋଟି ଟଙ୍କା । ନିକଟରେ ଅତିରିକ୍ତି ବଜେଟରେ ଏହି ପ୍ରକଳ୍ପ ପାଇଁ ୨୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । କମିଟି ପ୍ରକଳ୍ପ କାର୍ଯ୍ୟର ତଦାରଖ କରିବ । ଗତ ଏପ୍ରିଲ ୧ ତାରିଖରେ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ମେଟ୍ରୋ ହେବା ପରେ ଦେଶର ଟପ୍ ସିଟିଗୁଡ଼ିକରେ ସାମିଲ ହେବ ଭୁବନେଶ୍ୱର।
ଭୁବନେଶ୍ୱରରେ ଗଡି଼ବାକୁ ଥିବା ମେଟ୍ରୋ ଟ୍ରେନ୍ କେଉଁ ସବୁ ସ୍ଥାନରେ ରହିବ?
ଭୁବନେଶ୍ୱରରେ ଗଡି଼ବାକୁ ଥିବା ମେଟ୍ରୋ ଟ୍ରେନ୍ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ବାହାରି କଟକ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଚଳାଚଳ କରିବ ବୋଲି ଜଣାପଡିଛି । ଖାସ୍ କରି ଭୁବନେଶ୍ୱରରେ ଥିବା ଶିଶୁ ଭବନ ଛକ, କ୍ୟାପିଟାଲ ହସ୍ପିଟାଲ, ରାମ ମନ୍ଦିର ଛକ, ବାପୁଜୀ ନଗର,ବାଣୀବିହାର, ଭୁବନେଶ୍ୱର ରେଳ ଷ୍ଟେସନ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ଜାଭିୟର ଛକ, ରେଳ ସଦନ, ଡମଣା ଛକ, ପଟିଆ ଛକ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟନ ଆଦି ସ୍ଥାନରେ ମେଟ୍ରୋ ଟ୍ରେନ୍ ରହିବ ।
ଟେଣ୍ତର ପ୍ରକ୍ରିୟାରେ ଯୋଗ୍ୟ ସଂସ୍ଥା ହେବେ ସାମିଲ:
ନିକଟରେ, ମେଟ୍ରୋ ପ୍ରକଳ୍ପ ପାଇଁ ଡିପିଆରକୁ ଅନୁମୋଦନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ‘ଟର୍ଣ୍ଣ କି’ ଆଧାରରେ ଏହି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଟେଣ୍ତର ପ୍ରକ୍ରିୟାରେ ଯୋଗ୍ୟ ସଂସ୍ଥା ସାମିଲ ହୋଇପାରିବେ ବୋଲି ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ ବା ବିଏମଆରସି ନିର୍ଦ୍ଦେଶନାମା ଜାରି କରିଛି।
ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନର ପ୍ରଥମ ବୋର୍ଡ଼ ମିଟିଂ:
ଆସନ୍ତାମାସ ୧୮ ତାରିଖରେ ଏନେଇ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନର ପ୍ରଥମ ବୋର୍ଡ଼ ମିଟିଂ ବସିବାକୁ ଯାଉଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ ବୋଲି କୁହାଯାଛି। ପରିବହନ ସଚିବ,ଅର୍ଥ ସଚିବ, ନଗର ଉନ୍ନୟନ ବିଭାଗ ସଚିବ, ପୂର୍ତ୍ତ ସଚିବ ଓ ବିଏମଆରସିର ଅଧ୍ୟକ୍ଷ ସଦସ୍ୟ ରହିଛନ୍ତି।