ନରସିଂହପୁର-ବଡ଼ମ୍ବା ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୯ଶହ ୩୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି

ନରସିଂହପୁର(କେନ୍ୟୁଜ୍) : ନରସିଂହପୁର-ବଡ଼ମ୍ବା ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୯ଶହ ୩୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି । ନରସିଂହପୁର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ଅନନ୍ତ ନାରାୟଣ ହାଇସ୍କୁଲ ପଡ଼ିଆରେ ଆୟୋଜିତ କାର‌୍ୟ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ୨୨୫କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୬୨ଟି ଗାଁର ୨୫ହଜାର ଏକର ଜମିକୁ ଜଳସେଚିତ କରିବା ପାଇଁ ମେଗା ଉଠା ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ନରସିଂହପୁର-ବଡ଼ମ୍ବା ଅଞ୍ଚଳ ମେଗା ପାଇପ ଜଳଯୋଗାଣ ପ୍ରକଳ୍ପର ଭିତ୍ତି ପଡ଼ିଛି । ଏହାଦ୍ୱାରା ଉଭୟ ବଡମ୍ବା ଓ ନରସିଂହପୁର ବ୍ଳକର ୭୩ଟି ଗ୍ରାମପଞ୍ଚାୟତର ଲୋକ ମହାନଦୀରୁ ପାନୀୟ ଜଳ ପାଇବେ । ସେହିପରି ବଡମ୍ବାର ୫୪ଟି ଗାଁର ଚାଷୀ ଓ ସ୍ଥାନୀୟ ଲୋକଙ୍କ ପାଇଁ ୧୮୫ କୋଟି ଟଙ୍କା ବ୍ୟୟ ଅଟକଳରେ ରେଙ୍ଗାଳି ଦକ୍ଷିଣ କେନାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସାଧାରଣ ସଭାରେ ଉଦବୋଧନ ସହ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି । କାର‌୍ୟ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ ଓ ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ନରସିଂହପୁର ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଜଟଣୀ ହରିଡାମଡାରେ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ ହେଲଥ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି ।