ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୩୧ରେ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଯୋଗ ଦେବେ

କେନ୍ୟୁଜ୍(ବ୍ୟୁରୋ):  ଏଇ ବୁଧବାର ଯିବେ ଆର ମଙ୍ଗଳବାର ଫେରିବେ । ଆସନ୍ତା ୩୧ତାରିଖରୁ ୬ ତାରିଖ ଯାଏ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୧ ତାରିଖ ଦିନ ୯ଟା ୫୦ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରୁ ଦିଲ୍ଲୀ ଅଭିମୁଖେ ବାହାରିବେ । ମଧ୍ୟାହ୍ନ ୧୨ଟାରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବେ । ସେଦିନ ଅପରାହ୍‌ଣ ୫ଟାରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।

୧୬ଟି ଦେଶର ପ୍ରତିନିଧିଙ୍କ ସହ କଥା ହେବେ । ଓଡ଼ିଶାରେ ପୁଞ୍ଜିନିବେଶ କଲେ କ’ଣ ସୁବିଧା ଦିଆଯାଉଛି, ସେନେଇ ନିବେଶକଙ୍କୁ ବିସ୍ତୃତ ଭାବେ ଜଣାଇବେ ମୁଖ୍ୟମନ୍ତ୍ରୀ । ମେକ ଇନ୍‌ ଓଡ଼ିଶା ପାଇଁ ପ୍ରଥମେ ଦୁବାଇ, ପରେ ଅହମ୍ମଦାବାଦ, ଏବେ ଦିଲ୍ଲୀରେ ହେବାକୁ ଯାଉଛି ଇନଭେଷ୍ଟର୍ସ ମିଟ୍‌ । ଏଥିରେ ଦିଲ୍ଲୀ ଆଖପାଖର ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଏହି ନିବେଶ ସମାବେଶର ବିଜିନେସ ପାର୍ଟନର ହୋଇଛି FICCI ।

ଦୁବାଇରୁ ୨୧ ହଜାର ୩ ଶହ କୋଟି ଟଙ୍କାର ପୁଞ୍ଜି ଆସିଛି । ଅନେକ ଶିଳ୍ପପତିମାନେ ୨୦୧୬ରୁ ମେକ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ସହ ଯୋଡି ହୋଇଛନ୍ତି । ଓଡ଼ିଶାରେ ବ୍ୟାପକ ପୁଞ୍ଜି ନିବେଶ ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ବେକାରୀ ସମସ୍ୟା ଦୂର ହେବ । ୧ରୁ ୩ ତାରିଖ ଯାଏ କେନ୍ଦ୍ରରେ ପଡ଼ିଥିବା ପ୍ରକଳ୍ପ ସଂପର୍କରେ ଆଲୋଚନା କରିବେ । ୪ ତାରିଖରେ ନୂଆଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନରୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ଗ୍ରହଣ କରିବେ । ୫ ତାରିଖରେ ମଧ୍ୟ କେନ୍ଦ୍ରରେ ବକେୟା ପ୍ରକଳ୍ପ ସଂପର୍କରେ ଆଲୋଚନା କରିବେ । ୬ ତାରିଖରେ ଓଡ଼ିଶା ଫେରିଆସିବେ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.