ରାଜ୍ୟର ୩ ପ୍ରମୁଖ ଶକ୍ତିପୀଠର ମାଷ୍ଟର ପ୍ଲାନକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ପୁରୀ କାକଟପୁରର ମାଆ ମଙ୍ଗଳା, ଖୋର୍ଦ୍ଧା ବାଣପୁରର ମାଆ ଭଗବତୀ ଓ ଭୁଷଣ୍ଡପୁରର ମାଆ ଉଗ୍ରତାରାଙ୍କ ପୀଠର ମାଷ୍ଟର ପ୍ଲାନକୁ ଅନୁମୋଦନ କରାଯାଇଛି।

କେନ୍ୟୁଜ୍(ବ୍ୟୁରୋ): ପବିତ୍ର ଚୈତ୍ର ମାସରେ ରାଜ୍ୟର ୩ ପ୍ରମୁଖ ଶକ୍ତିପୀଠର ମାଷ୍ଟର ପ୍ଲାନକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ। ପୁରୀ କାକଟପୁରର ମାଆ ମଙ୍ଗଳା, ଖୋର୍ଦ୍ଧା ବାଣପୁରର ମାଆ ଭଗବତୀ ଓ ଭୁଷଣ୍ଡପୁରର ମାଆ ଉଗ୍ରତାରାଙ୍କ ପୀଠର ମାଷ୍ଟର ପ୍ଲାନକୁ ଅନୁମୋଦନ କରାଯାଇଛି।ମାଆ ମଙ୍ଗଳାଙ୍କ ଶକ୍ତିପୀଠର ବିକାଶ ପାଇଁ ମନ୍ଦିରରେ ଖୋଣ୍ଡାଲାଇଟ୍‌ ପଥର ବିଛାଯିବ, ମନ୍ଦିରର ରୋଷଘର ଓ ଜଳ ନିଷ୍କାସନ ବ୍ୟବସ୍ଥାର ସଂସ୍କାର କରାଯିବ। ଏହାସହ ସେବାୟତ ଭବନ, ଭୋଗ ଦୋକାନ, ପ୍ରାଚୀ ନଦୀ କୂଳରେ ମୁଣ୍ଡନ ବ୍ୟବସ୍ଥା, ଚନ୍ଦନ ଘାଟର ବିକାଶ, ଗୋଷ୍ଠୀ ଶୌଚାଳୟର ବିକାଶ କରାଯିବ। ପୀଠକୁ ଅଧିକ ଆକର୍ଷଣୀୟ କରିବାକୁ କୋଣାର୍କ ପାର୍ଶ୍ୱ ରାସ୍ତାରେ ଐତିହ୍ୟ ଦ୍ୱାର ନିର୍ମାଣ କରାଯିବ। ୧୨ ମାସ ଭିତରେ ସବୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ବାଣପୁର ମାଆ ଭଗବତୀଙ୍କ ପୀଠରେ ସିଂହଦ୍ୱାରଠାରୁ ଆରମ୍ଭ କରି ପରିକ୍ରମା, ଘାଟ, ଯାତ୍ରା ପଡିଆ, ଯାତ୍ରୀ ସୁବିଧା ତଥା ଜଗନ୍ନାଥ ମନ୍ଦିରର ବିକାଶ କରାଯିବ। ବହୁମୁଖୀ ହଲ୍‌, ରାସ୍ତା ଓ ନଦୀଘାଟର ବିକାଶ ଉପରେ ମାଷ୍ଟର ପ୍ଲାନରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ୨ ବର୍ଷ ଭିତରେ ସବୁ କାର୍ଯ୍ୟ ସାରିବାକୁ ସମୟ ଧାର୍ଯ୍ୟ ହୋଇଛି।

ଭୁଷଣ୍ଡପୁରରେ ମାଆ ଉଗ୍ରତାରାଙ୍କ ପୀଠ ପାଇଁ ମାଷ୍ଟର ପ୍ଲାନରେ ରହିଛି ମନ୍ଦିରର ବିକାଶ ସହ ଯାତ୍ରୀଙ୍କ ସୁବିଧା, ପାର୍କିଂ ବ୍ୟବସ୍ଥା, ପିକ୍‌ନିକ୍‌ ସ୍ପଟ୍‌, ଯାତ୍ରା ପଡିଆ ଓ ପୋଖରୀର ପୁନରୁଦ୍ଧାର। ମାଆ ଉଗ୍ରତାର ପୀଠର ବିକାଶ କାମ ୧୮ ମାସ ଭିତରେ ସରିବ। ତିନି ପୀଠର ମାଷ୍ଟରପ୍ଲାନକୁ ଅନୁମୋଦନ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ସେବାୟତଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନେଇଥିଲେ। ଏ ସବୁ ମାଷ୍ଟର ପ୍ଲାନ କାମ ଓଡ଼ିଶା ସେତୁ ନିର୍ମାଣ ନିଗମ କରିବ। ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି