ଓଡ଼ିଶାର ଅତୀତ ସହ ଭବିଷ୍ୟତକୁ ଯୋଡ଼ିବ ‘ଶଙ୍ଖ ଭବନ’: ନବୀନ
ସାଢେ ୪ କୋଟି ଓଡ଼ିଆଙ୍କ ସେବାରେ ‘ଶଙ୍ଖ ଭବନ’ ସମର୍ପିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଶଙ୍ଖ ଭବନ’ ଓଡ଼ିଶାବାସୀଙ୍କ ପ୍ରିୟ ଭବନ ହେବ । ଶ୍ରମିକଙ୍କ ଠାରୁ ଆରମ୍ଭ କରି ଆର୍କିଟେକ୍ଟ ପର୍ଯ୍ୟନ୍ତ ଏଥିରେ ସମସ୍ତଙ୍କ ଅବଦାନ ରହିଛି । ଶଙ୍ଖ ଭବନ ନିର୍ମାଣରେ ସମସ୍ତଙ୍କ ଶ୍ରଦ୍ଧା ଓ ସମ୍ମାନ ରହିଛି । ୧୯୯୭ରେ ଓଡ଼ିଶା ରାଜନୀତିରେ ନୂଆ ଯୁଗର ଆରମ୍ଭ ହୋଇଥିଲା।
କେନ୍ୟୁଜ(ବ୍ୟୁରୋ): ନୂଆ କାର୍ଯ୍ୟାଳୟ ନୂଆ ଉତ୍ସାହ । ଅକ୍ଷୟ ତୃତୀୟାରେ ବିଜେଡିର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଉଦ୍ଘାଟିତ। ସାଢେ ୪ କୋଟି ଓଡ଼ିଆଙ୍କ ସେବାରେ ‘ଶଙ୍ଖ ଭବନ’ ସମର୍ପିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଶଙ୍ଖ ଭବନ’ ଓଡ଼ିଶାବାସୀଙ୍କ ପ୍ରିୟ ଭବନ ହେବ । ଶ୍ରମିକଙ୍କ ଠାରୁ ଆରମ୍ଭ କରି ଆର୍କିଟେକ୍ଟ ପର୍ଯ୍ୟନ୍ତ ଏଥିରେ ସମସ୍ତଙ୍କ ଅବଦାନ ରହିଛି । ଶଙ୍ଖ ଭବନ ନିର୍ମାଣରେ ସମସ୍ତଙ୍କ ଶ୍ରଦ୍ଧା ଓ ସମ୍ମାନ ରହିଛି । ୧୯୯୭ରେ ଓଡ଼ିଶା ରାଜନୀତିରେ ନୂଆ ଯୁଗର ଆରମ୍ଭ ହୋଇଥିଲା। ବିଜୁବାବୁଙ୍କ ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ର ନେଇ ବିଜେଡି ଜନ୍ମ ନେଇଥିଲା। ଆଞ୍ଚଳିକ ଦଳ ଭାବେ ଓଡ଼ିଶାବାସୀଙ୍କ ସେବାରେ ରହିଛି ବିଜେଡି । ଏବେ ବିଜେଡି ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ବିଜୟର ଶଙ୍ଖ ବାଜି ଚାଲିଛି । ଓଡ଼ିଶାର ଅତୀତ ସହ ଏହା ଭବିଷ୍ୟତକୁ ଯୋଡ଼ିବ ।
ଏକାଠି ହୋଇ ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ କାମ କରିବାକୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଶଙ୍ଖ ଭବନରେ ପ୍ରତି ସପ୍ତାହରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରାଯିବ। ଉଦଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ, ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ସଂଗଠନର ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ । ଶଙ୍ଖ ଭବନ କୋଠାରେ ଫୁଟିଛି ଓଡ଼ିଆ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ଛାପ । ଏହି ନବ ନିର୍ମିତ କାର୍ଯ୍ୟାଳୟର ଆଗରେ ଏକ ବଡ଼ ଶଙ୍ଖ ପ୍ରତିମୂର୍ତ୍ତି ରହିଛି । ଯେଉଁଥିରେ ଚତୁର୍ଦ୍ଧା ମୂର୍ତ୍ତି ଶୋଭା ପାଉଛନ୍ତି । ବେସମେଣ୍ଟରେ ରହିଛି ବିଶାଳ ପାର୍କିଂ ସ୍ଥାନ । ନୂଆ ଅଫିସର ପ୍ରଥମ ମହଲାରେ ଥିବା ବିରାଟ ହଲ୍ରେ ପ୍ରାୟ ୨ ହଜାର ଲୋକ ବସି ପାରିବେ । ପ୍ରଥମ ମହଲାରେ ରହିଛି ପ୍ରେସ କନଫେରେନ୍ସ ହଲ୍ ଓ ୨୫୦ ଆସନ ବିଶିଷ୍ଟ ଗୋଟିଏ ଅଡିଟୋରିୟମ । ଦ୍ୱିତୀୟ ମହଲାରେ ଛାମୁଆ ସଙ୍ଗଠନ ସଭାପତି ଓ ଦଳର ରାଜ୍ୟ ପଦାଧିକାରୀଙ୍କ କାର୍ଯ୍ୟାଳୟ ରହିବ । ଆଇଟି ସେଲ୍ ମଧ୍ୟ ଏଠାରେ କାମ କରିବ । ତୃତୀୟ ମହଲାରେ ଦଳ ସୁପ୍ରିମୋଙ୍କ ଦପ୍ତର ରହିଛି ।