ମୋ ସରକାର ମମିତାଙ୍କୁ ଉଚିତ ନ୍ୟାୟ ଦେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେ ନ୍ୟୁଜ): କଳାହାଣ୍ଡି ଜିଲ୍ଲା ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକୁ ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ । ଘଟଣାକୁ ପାଖାପାଖି ଦୁଇ ମାସ ବିତିଥିବାବେଳେ ଶେଷରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ତିନିଦିନ ଧରି ଗୃହର ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ହୋହାଲ୍ଲାରେ ଗୃହକୁ ସୁଚାରୁରୂପେ ଚଳାଇ ଦେଉନାହାନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ ବିବୃତି ନେଇ ବାରମ୍ବାର ଦାବି କରି ଆସୁଛନ୍ତି ।ଆଜି ନିଜ ବିବୃତିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଘଟଣାକୁ ଯେଉଁ ଭଳି ଭାବରେ ରାଜନୀତି କରଣ କରାଯାଉଛି, ତାହା ତାଙ୍କୁ ବ୍ୟଥିତ କରୁଛି । ପରିବାର ଲୋକଙ୍କ ନିବେଦନ ସତ୍ତ୍ୱେ ରାଜନୀତିକରଣ ଚାଲୁ ରହିଛି । ମହିଳା ଓ ସମ୍ବେଦନଶୀଳ ବର୍ଗଙ୍କୁ ନ୍ୟାୟ ଦେବା ପାଇଁ ସେ ସର୍ବଦା ଚେଷ୍ଟାରତ। ବିନା ଭୟ ଓ ଦ୍ୱନ୍ଦ୍ୱରେ ପୁଲିସ ତଦନ୍ତ କରିବାକୁ ପୋଲିସକୁ ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ରମାଣକୁ ନେଇ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି। ଦାୟିତ୍ୱରେ ଯିଏ ବି ଅବହେଳା କରିଥିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।”

କହିରଖୁଛୁକି, ପୂର୍ବରୁ ଅବସରପ୍ରାପ୍ତ ଜିଲ୍ଲା ଜଜ ତଦନ୍ତ ପ୍ରକ୍ରିୟାର ତଦାରଖ କରିବେ ବୋଲି ସୂଚନା ଜାରି ହୋଇଥିଲା । ହାଇକୋର୍ଟଙ୍କୁ ଏନେଇ ଅନୁରୋଧ କରିଥିଲେ ରାଜ୍ୟ ସରକାର। ନ୍ୟାୟିକ ତତ୍ତ୍ୱାବଧାନରେ ତଦନ୍ତ ପ୍ରକ୍ରିୟା ଚାଲିଛି, ନ୍ୟାୟ ବ୍ୟବସ୍ଥା ପ୍ରତି ଆସ୍ଥା ରହୁ ବୋଲି କହିଥିଲେ । ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହରଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୁଲିସ୍‌ ଗୋବିନ୍ଦ ସାହୁ ଓ ତାଙ୍କ ସହଯୋଗୀ ରାଧେକୁ ଗିରଫ କରିଛି। ତେବେ ଏହି ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆସିବା ପରେ ବିରୋଧୀ କଂଗ୍ରେସ ଓ ବିଜେପି ଖଡ୍‌ଗ ହସ୍ତ ହୋଇଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବିରେ ରାଜରାସ୍ତାରେ ହୋ-ହଲ୍ଲା କରୁଛନ୍ତି ବିଜେପି ଓ କଂଗ୍ରେସ। ହେଲେ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବିରୋଧୀ ଅଭିଯୋଗ କରୁଛନ୍ତି।

Leave A Reply

Your email address will not be published.