ଦଳୀୟ ନେତାଙ୍କୁ ନବୀନଙ୍କ ଗୁରୁମନ୍ତ୍ର: ବିରୋଧୀଙ୍କ ମିଛ ପ୍ରଚାରର ସଠିକ ଜବାବ ଦିଅ, ସରକାରଙ୍କ ସଫଳତା ଲୋକଙ୍କ ନିକଟରେ ପହଞ୍ଚାଇ
ଭୁବନେଶ୍ବର(କେନ୍ୟୁଜ୍): ସରକାରଙ୍କ ସଫଳତା ଲୋକଙ୍କ ନିକଟରେ ପହଞ୍ଚାଇ ଆଶୀର୍ବାଦ ଆଣ। ବିରୋଧୀଙ୍କ ମିଛ ପ୍ରଚାରର ସଠିକ ଜବାବ ଦିଅ। ଦଳୀୟ ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତିଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳୀୟ ନେତାଙ୍କୁ ସୁପ୍ରିମୋଙ୍କ ଗୁରୁମନ୍ତ୍ର। ଭର୍ଚୁଆଲ ମୋଡରେ ଆୟୋଜିତ ବୈଠକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଲୋକଙ୍କ ମନରେ ଆଶା ଓ ବିଶ୍ୱାସ ସୃଷ୍ଟି କରିଥିବା ସେ କହିଛନ୍ତି।
ବିଜେଡି ସରକାରଙ୍କ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ଭାରତରେ ପ୍ରଥମ। ଏହି କଠିନ କୋଭିଡ ମହାମାରୀ ବେଳେ ମହିଳାମାନଙ୍କୁ ମିଶନ ଶକ୍ତି, ମା’ ମାନଙ୍କୁ ପ୍ରାୟ ୧୦ହଜାର କୋଟି ଟଙ୍କାର ଋଣ ସହାୟତା ବିନା ସୁଧରେ ବିଜେଡି ସରକାର ଦେଇଛି। ଲକ୍ଷ ଲକ୍ଷ ଭୂମିହୀନ ଚାଷୀଙ୍କ ପାଇଁ ୧୦ହଜାର ଟଙ୍କା କାଳିଆ ଯୋଜନାରେ ସହାୟତା ଦେଇଛି। ରାସନ କାର୍ଡ ଥିବା ସବୁ ପରିବାରକୁ ଆର୍ଥିକ ସହାୟତା, ଗ୍ରାମାଞ୍ଚଳ ପକ୍କା ଘର ଯୋଜନାରେ ଘର ମରାମତି ସହାୟତା ଆଦି ଅଗ୍ରଣୀ ପଦକ୍ଷେପ ଗ୍ରହଣ କରି ବିଜେଡି ସରକାର ଅନ୍ୟମାନଙ୍କୁ ବାଟ ଦେଖାଇଛି।
ଜଳସେଚନସ, ଶିକ୍ଷା ଭିତ୍ତିଭୂମି, ଶିଳ୍ପ, ଜନଜାତି କଲ୍ୟାଣ କ୍ଷେତ୍ରରେ ଆଜି ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇଥିବା କହିଛନ୍ତି ଦଳ ସୁପ୍ରିମୋ। ଓଡିଶାବାସୀ ବିଜେଡିକୁ ଭଲ ପାଆନ୍ତି ଓ ସବୁ ନିର୍ବାଚନରେ ଆଶୀର୍ବାଦ କରିଆସିଛନ୍ତି। ବିରୋଧୀଦଳଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ। ରାଜ୍ୟ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇ ସେମାନଙ୍କ ଆଶୀର୍ବାଦ ଆଣିବାକୁ ଦଳୀୟ ନେତାଙ୍କୁ ଆହ୍ଵାନ କରିଛନ୍ତି।