ରାଜ୍ୟ ସଂଗ୍ରହାଳୟ ପରିସରରେ କଳିଙ୍ଗ ଆର୍ଟ ଗ୍ୟାଲେରୀ ଉଦଘାଟିତ, ଭର୍ଚୁଆଲରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍):କଳିଙ୍ଗ ଆର୍ଟ ଗ୍ୟାଲେରୀ ଓ ୫ଟି ରିଜିଓନାଲ ଆର୍ଟ ଗ୍ୟାଲେରୀ ଉଦ୍ଘାଟିତ। ଭର୍ଚୁଆଲ ମୋଡରେ ଏହାକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସଂଗ୍ରହାଳୟ ପରିସରରେ ରାଜ୍ୟର ସବୁଠାରୁ ବଡ଼ ଆର୍ଟ ଗ୍ୟାଲେରୀ କଳିଙ୍ଗ ଆର୍ଟ ଗ୍ୟାଲେରୀ ରହିଛି। ଅନ୍ୟ ୫ଟି ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ଗଞ୍ଜାମ ଜିଲ୍ଲାର ଛତ୍ରପୁର, ପୁରୀ, ବାଲେଶ୍ୱର, ସମ୍ବଲପୁର ଓ କୋରାପୁଟରେ ରହିଛି। ଏହି ଆର୍ଟ ଗ୍ୟାଲେରୀ ପ୍ରତିଷ୍ଠା ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ପଦକ୍ଷେପ ଗ୍ରହଣ କରିଛି। ଏହାର ଉଦ୍ଘାଟନ କରି ରାଜ୍ୟରେ ଖୁବ ଶୀଘ୍ର ଏକ ବିଶ୍ୱସ୍ତରୀୟ ମ୍ୟୁଜିୟମ କମ୍ପ୍ଲେକ୍ସ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଇତିହାସ, କଳା, ଓ ସଂସ୍କୃତିକୁ ନେଇ ବିଶ୍ୱସ୍ତରୀୟ ମ୍ୟୁଜିୟମ କମ୍ପ୍ଲେକ୍ସ ପ୍ରତିଷ୍ଠା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ଓଡିଆ ଭାଷା, ସାହିତ୍ୟ, ଓ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି। ରାଜ୍ୟର ସାଂସ୍କୃତିକ ଐତିହ୍ୟକୁ ଉତ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଶା ସମୃଦ୍ଧ ସାଂସ୍କୃତିକ ଓ କଳାତ୍ମକ ଐତିହ୍ୟର ପ୍ରାଣକେନ୍ଦ୍ର।
ରାଜ୍ୟରେ କଳା ଓ କଳାକାରଙ୍କ ପାଇଁ କଳିଙ୍ଗ ଆର୍ଟ ଗ୍ୟାଲେରୀ ଏକ ପାୱାର ହାଉସ ହେବ ବୋଲି ସେ କହିଛନ୍ତି। ଏଥିରେ ଓଡିଆ ଭାଷା, ସାହିତ୍ୟ, ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଓ ଓଡ଼ିଶା ଲଳିତ କଳା ଏକାଡେମୀ ସୁଦର୍ଶନ ପଟ୍ଟନାୟକ ଯୋଗ ଦେଇଥିଲେ।