ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାବାସୀ ରାଜ୍ୟର ଆଖିଦୃଶିଆ ପରିବର୍ତ୍ତନ ଦେଖିବେ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ): ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାବାସୀ ରାଜ୍ୟର ଆଖିଦୃଶିଆ ପରିବର୍ତ୍ତନ ଦେଖିବାକୁ ପାଇବେ । କିଟ୍‌ ପରିସରରେ ଅନୁଷ୍ଠିତ ଇଣ୍ଡିଆ ଟୁଡେ ଷ୍ଟେଟ୍‌ ଅଫ୍‌ ଦି ଷ୍ଟେଟ୍‌ ଓଡ଼ିଶା କନ୍କ୍ଲେଭରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ନୀତି ଓ ବିକାଶର ଧାରା ଯୋଗୁଁ ଆଜି ଓଡ଼ିଶାର ସାମାଜିକ-ଅର୍ଥନୈତିକ ମାନଚିତ୍ରରେ ପରିବର୍ତ୍ତନ ହୋଇଛି । କରୋନା ମହାମାରୀ ସତ୍ତ୍ୱେ ସମଗ୍ର ଦେଶରେ ଓଡ଼ିଶା ଦ୍ରୁତ ପ୍ରଗତିଶୀଳ ରାଜ୍ୟ ଭାବେ ଉଭା ହୋଇପାରିଛି । ବୃହତ ଜଳସେଚନ ପ୍ରକଳ୍ପଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ, ଶିଳ୍ପର ବିକାଶ, ସ୍ୱସ୍ଥ୍ୟ, ଶିକ୍ଷା ଓ କୃଷି କ୍ଷେତ୍ରରେ ଓଡ଼ିଶା ସରକାର ବ୍ୟାପକ ପୁଞ୍ଜି ନିବେଶ କରିଛନ୍ତି । ଏବେ 5T- Team work, technology, transparency, transformation ଓ time limit ପ୍ରମୁଖ ମନ୍ତ୍ର ହୋଇଛି ।

ବିଜେଡ଼ି ସରକାରର ଜନହିତକର ଯୋଜନା, ସ୍ୱଚ୍ଛ ଏବଂ ନିର୍ମଳ ଶାସନକୁ ଓଡ଼ିଶାବାସୀ ପ୍ରଶଂସା କରିବା ସହ ଦୀର୍ଘ ୨୨ ବର୍ଷ ଧରି ବିଜୁ ଜନତା ଦଳ ଉପରେ ଆସ୍ଥା ପ୍ରକଟ କରିଆସୁଛନ୍ତି । ୨୦୦୦ ମସିହାରୁ ତାଙ୍କ ସରକାର କ୍ଷମତାକୁ ଆସିବା ପରେ ରାଜ୍ୟର ବିକାଶ ନିମନ୍ତେ ଅନେକ କାର୍ଯ୍ୟକ୍ରମ ଓ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହା ପୂର୍ବରୁ ଓଡ଼ିଶା ଏକ ପଛୁଆ ରାଜ୍ୟ ଭାବେ ପରିଗଣିତ ହେଉଥିବା ବେଳେ ଏବେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି ।

ଓଡ଼ିଶା ଆଜି ଭାରତର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇପାରିଛି । ବିଜେଡ଼ି ସରକାର ଆଉ କ୍ରମବର୍ଦ୍ଧିଷ୍ଣୁ ବିକାଶରେ ବିଶ୍ୱାସ କରୁନାହିଁ ମୁଖ୍ୟମନ୍ତ୍ରୀ କହିଥିଲେ । ଓଡ଼ିଶାବାସୀ ରାଜ୍ୟର ସମ୍ପୂର୍ଣ୍ଣ ପରିବର୍ତ୍ତନ ଚାହାନ୍ତି ଏବଂ ସରକାର ଏ ଦିଗରେ ତାଙ୍କର ପ୍ରୟାସ ଜାରି ରଖିଛନ୍ତି । ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାବାସୀ ରାଜ୍ୟର ସମ୍ପୂର୍ଣ୍ଣ ଆଖିଦୃଶିଆ ପରିବର୍ତ୍ତନ ଦେଖିବାକୁ ପାଇବେ ବୋଲି ନବୀନ କହିଛନ୍ତି

Leave A Reply

Your email address will not be published.