ଚାରି ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ହେବାକୁ ଥିବା ମାଓ ମୁକାବିଲା ବୈଠକରେ ଦେବେ ଯୋଗ

ଭୁବନେଶ୍ବର (କେନ୍ୟୁଜ୍) : ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ହେବାକୁ ଥିବା ମାଓ ମୁକାବିଲା ବୈଠକରେ ଯୋଗଦେବେ । ଗୃହମନ୍ତ୍ରୀ ଅମିତ ଶାହ ମାଓ ପ୍ରଭାବିତ ୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡାକିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ମଧ୍ୟ ସାମିଲ ହେବେ । ମାଓ ମୁକାବିଲା ନେଇ ଏହି ବୈଠକରେ ସ୍ୱତନ୍ତ୍ର ରଣନୀତି ନେଇ ଆଲୋଚନା ହେବ । ପ୍ରଥମ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାହଙ୍କ ସହ ବୈଠକରେ ସାମିଲ ହେବେ । ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସମୀକ୍ଷା ବୈଠକ କରିଥିଲେ । କେନ୍ଦ୍ରକୁ ମାଓ ମୁକାବିଲା ନେଇ କେଉଁ ପ୍ରସ୍ତାବ ଦିଆଯିବ, ସେ ନେଇ ବୈଠକରେ ଆଲୋଚନା ହୋଇଛି ।
ବୈଠକ ପରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଥିଲେ, ମାଓ ଦମନରେ ଓଡ଼ିଶା ସଫଳତା ପାଇଛି । ମାଓ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୫ରୁ ୫କୁ ଖସି ଆସିଛି । ଅଭିଭକ୍ତ କେବିକେ ଜିଲ୍ଲାରେ କମିଛି ମାଓବାଦୀଙ୍କ ଗତିବିଧି । ଗୁରୁପ୍ରିୟା ସେତୁ ପରେ ସ୍ୱାଭିମାନ ଅଞ୍ଚଳରେ ଯୋଗାଯୋଗରେ ଉନ୍ନତି ହୋଇଛି । ଆଗକୁ ଗୁରୁପ୍ରିୟା ଭଳି ପ୍ରକଳ୍ପ ରାୟଗଡା, କଳାହାଣ୍ଡି ଏବଂ କନ୍ଧମାଳରେ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟର ୮ ହଜାର ଗାଁରେ ଟେଲି ଯୋଗାଯୋଗ ନାହିଁ । ସେଥିରୁ ୬ ହଜାର ଗାଁ ହେଉଛି ମାଓ ଅଧ୍ୟୁଷିତ । ସେ ଅଞ୍ଚଳରେ ଟେଲି ଯୋଗାଯୋଗକୁ ପ୍ରାଥମିକତା ଦିଆଯିବା ।