ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀମାନେ ପାଇବେ କାଳିଆ ସହାୟତା ରାଶି ୨ହଜାର ଟଙ୍କା

କେନ୍ୟୁଜ୍(ବ୍ୟୁରୋ):  ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀମାନେ କାଳିଆ ସହାୟତା ରାଶି ୨ହଜାର ଟଙ୍କା ଲେଖାଏ ପାଇବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଜିଲ୍ଲାର ୧ଲକ୍ଷ ୬୫ହଜାର ୧୩୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ୩୩ କୋଟି ଟଙ୍କା ପାଇବେ । ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ । ସେପ୍ଟେମ୍ବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ୩୭ ଲକ୍ଷ ୧୨ ହଜାର ୯୪୧ ଜଣ ଚାଷୀଙ୍କୁ ୭୪୨ କୋଟି ୫୮ ଲକ୍ଷ ଟଙ୍କାର କାଳିଆ ସହାୟତା ବଣ୍ଟନ କରିଥିଲେ । ହେଲେ ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲାର ଚାଷୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇପାରି ନଥିଲା ।

ରାଜ୍ୟର କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ପରିବାରଙ୍କୁ କୃଷି କାର୍ଯ୍ୟରେ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା କାର୍ଯ୍ୟ କାରୀ କରିଛନ୍ତି । ସାରା ଦେଶରେ ଚାଷୀମାନଙ୍କ କଲ୍ୟାଣ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏଥିରେ ଚାଷୀମାନେ ବିଭିନ୍ନ କୃଷିସାମଗ୍ରୀ ଯଥା- ବିହନ, ସାର ତଥା କୀଟନାଶକ ଓ କୃଷି ଯନ୍ତ୍ରପାତି କିଣିବା ପାଇଁ ଆନୁଷଙ୍ଗିକ ଆର୍ଥିକ ସୁବିଧା ପାଇପାରୁଛନ୍ତି । ସେହିପରି ଭୂମିହୀନ କୃଷି ପରିବାର ମଧ୍ୟ ରୋଜଗାର ବୃଦ୍ଧି ପାଇଁ ବିଭିନ୍ନ ଆନୁଷଙ୍ଗିକ କୃଷି କାର୍ଯ୍ୟ କରିପାରୁଛନ୍ତି । ଚାଷୀଙ୍କ ଋଣ ଭାର କମ୍‌ କରିବାରେ ମଧ୍ୟ ଏହା ବିଶେଷ ସହାୟକ ହୋଇ ପାରିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.