ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ଦାବି, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

କେନ୍ୟୁଜ୍(ବ୍ୟୁରୋ):  ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି । ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ପ୍ରସ୍ତାବିତ ଏୟାରପୋର୍ଟ ପାଇଁ ପୁରୀରେ ରାଜ୍ୟ ସରକାର ଜାଗା ଚିହ୍ନଟ କରିଛନ୍ତି । ରେକର୍ଡ ସମୟରେ ଏହି ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇଦେବେ । ହିନ୍ଦୁ ଧର୍ମର ୪ ଧାମ ମଧ୍ୟରୁ ଜଗନ୍ନାଥ ଧାମ ଅନ୍ୟତମ । ବିଶ୍ୱର କୋଣଅନୁକୋଣରୁ ଲୋକେ ପୁରୀ ଶ୍ରୀମନ୍ଦିର ଦର୍ଶନ କରିବାକୁ ଆସିଥାଆନ୍ତି । ପୁରୀଠାରୁ ୩୫ କିଲୋମିଟର ଦୂରରେ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ରହିଛି ।

ରାମଚଣ୍ଡୀ-ଚନ୍ଦ୍ରଭାଗା ବେଳାଭୂମି ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପାଇଁ ପସନ୍ଦର ସ୍ଥାନ । ପୁରୀ ଦୁଇଟି ରାମସାର ସାଇଟ୍‌- ଚିଲିକା ହ୍ରଦ ଓ ଭିତରକନିକା ଜାତୀୟ ଉଦ୍ୟାନକୁ ସଂଯୋଗ କରୁଛି । ଏହି ଦୁଇଟି ସ୍ଥାନରେ ଅନ୍ତର୍ଜାତୀୟ ଇକୋ-ଟୁରିଜିମ ପାଇଁ ବ୍ୟାପକ ଭିତ୍ତିଭୂମି ରହିଛି । ନିକଟରେ ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍‌ ମାନ୍ୟତା ମିଳିଛି । ପୁରୀରେ ସୁଦୀର୍ଘ ବେଳାଭୂମି ନୂଆ ବିଶ୍ୱ ଅର୍ଥନୈତିକ କାର୍ଯ୍ୟକଳାପ, ଅବସର ବିନୋଦନ ଓ ସାଂସ୍କୃତିକ କେନ୍ଦ୍ର ପାଇଁ ଏକ ପ୍ରକୃଷ୍ଠ ସ୍ଥାନ ।

କୋଷ୍ଟାଲ ହାଇୱେ ମଧ୍ୟ ଏହି ଅଞ୍ଚଳ ଦେଇ ଯାଉଥିବା ବେଳେ ପାରଦୀପ ବନ୍ଦର ଓ ଅସ୍ତରଙ୍ଗ ବନ୍ଦରକୁ ସଂଯୋଗ କରୁଛି । ତେଣୁ ଆଧ୍ୟାତ୍ମିକ, ପର୍ଯ୍ୟଟନ ଓ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ପୁରୀ ଏକ ହବ୍‌ରେ ପରିଣତ ହେବା ପାଇଁ ଯଥେଷ୍ଟ ସୁଯୋଗ ରହିଛି । ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରତିବର୍ଷ ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି । ଏଥିପାଇଁ ଏୟାରପୋର୍ଟ ପ୍ରତିଷ୍ଠା ହେଲେ ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁମାନେ ପୁରୀକୁ ଆସିବାରେ ସୁବିଧା ହେବ । ଏହାଦ୍ୱାରା ସାରା ବିଶ୍ୱରେ ଜଗନ୍ନାଥ ଧର୍ମର ପ୍ରଚାରପ୍ରସାର ହୋଇପାରିବ । ଏସବୁ ଦୃଷ୍ଟିରେ ରଖି ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ଦିଗରେ ଅଗ୍ରାଧିକାର ଭିତ୍ତିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିଷ୍ପତ୍ତି ନେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.