ଆଜି ଚାଷୀଙ୍କୁ ଉପହାର ଦେବେ ମୁଖ୍ୟମନ୍ତ୍ରୀ, ଖାତାକୁ ଯିବା ୮୦୦ ଟଙ୍କାର ଇନପୁଟ୍ ସବସିଡି ରାଶି

ବରଗଡ଼: ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ସୋହେଲା ଥାନା ଇଚ୍ଛାପାଲି ସଭାସ୍ଥଳରେ ପହଞ୍ଚି ଚାଷୀଙ୍କୁ ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ।  ଆଜିଠୁ ଧାନ କ୍ବିଣ୍ଟାଲ ପିଛା ଅଧିକ ୮୦୦ ଟଙ୍କା ପାଇବେ ଚାଷୀ । ୨୩ ଶହ ଉପରେ ମିଳିବ ଅଧିକ ୮୦୦ ଟଙ୍କା ଇନ୍ ପୁଟ ସହାୟତା ।  ନଭେମ୍ବର ୨୦ରୁ ଏବର୍ଷର ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା । ଚାଷୀ କ୍ବିଣ୍ଟାଲ ପିଛା ୨୩ଶହ ଟଙ୍କା ପାଇଥିଲେ ।  ଆଜି ଠାରୁ ୩୧ଶହ ଟଙ୍କା ପାଇବେ। ଯେଉଁମାନେ ୨୩ଶହ ଟଙ୍କା ପାଇଥିଲେ, ସେମାନେ ଆଜି ଆଉ ୮୦୦ ଟଙ୍କା ପାଇବେ ।

ଧାନ କିଣା ଯିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଏହି ଟଙ୍କା  । ପୁରୀ, ସମ୍ବଲପୁର, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ବାଲେଶ୍ୱର, ମୟୁରଭଞ୍ଜ, କନ୍ଧମାଳ, ଜଗତସିଂହପୁର, ଭଦ୍ରକ ଜିଲ୍ଲାରେ ଆଜି  ସମାବେଶ କରି ବଣ୍ଟା ହେବ ଇନପୁଟ ସବସିଡ଼ି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମ୍ବଲପୁର ଆଇଜି ହିମାଂଶୁ ଲାଲ , ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମିନାଙ୍କ ସମେତ ୪ ଜଣ ଏଏସପି , ୧୨ ଜଣ ଡିଏସପି , ୩୭ ଜଣ ଇନ୍ସପେକ୍ଟର , ୫୩ ଜଣ ଏସ ଆଇ , ୭୦ ଜଣ ଏଏସପି ଏବଂ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।