ଭୁବନେଶ୍ୱର : ମୋହନଙ୍କ କାମକୁ ମୋଦିଙ୍କ ମୋହର! । ରାଜ୍ୟ ରାଜନୀତିରେ ବଢ଼ିବ ମୁଖ୍ୟମନ୍ତ୍ରୀଙ୍କ ଦବଦବା । ଉତ୍କଳ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଚିଠି । ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଥିବା ଚିଠି କେବଳ ଏକ ଶୁଭେଚ୍ଛା ନୁହେଁ, ବରଂ ଏହାର ଅର୍ଥ ବହୁତ ଗଭୀର। ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ସରକାର କରିଥିବା “ଅସାଧାରଣ କାର୍ଯ୍ୟ” ପାଇଁ ପ୍ରଧାନମନ୍ତ୍ରୀ ଖୋଲାଖୋଲି ଭାବେ ପ୍ରଶଂସା କରିଛନ୍ତି । ସେ କହିଛନ୍ତି “ଲୋକମାନେ ଏହି ଟିମ୍ ଉପରେ ଅତୁଟ ବିଶ୍ୱାସ ରଖିଛନ୍ତି ଏବଂ ଜନସାଧାରଣଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଏହି ସରକାର କୌଣସି ସୁଯୋଗ ହାତଛଡ଼ା କରିବେ ନାହିଁ ବୋଲି ମୋର ଦୃଢ଼ ବିଶ୍ୱାସ ଅଛି ।”
ଏଥିସହ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ଥିତି ଆହୁରି ମଜବୁତ ହୋଇଛି । ଏହା ସ୍ପଷ୍ଟ କରୁଛି ଯେ ତାଙ୍କ ଉପରେ କେନ୍ଦ୍ରର ପୂର୍ଣ୍ଣ ସମର୍ଥନ ରହିଛି । ରାଜ୍ୟର ପ୍ରଶାସନିକ ଅଧିକାରୀ, ଦଳୀୟ କର୍ମୀ ଏବଂ ଦଳ ଭିତରେ ଥିବା ଅସନ୍ତୁଷ୍ଟ ନେତାଙ୍କ ପାଇଁ ଏହା ଏକ ବଡ଼ ସଙ୍କେତ। ଏହା ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ କେହି ସହଜରେ ଚ୍ୟାଲେଞ୍ଜ କରିପାରିବେ ନାହିଁ । ଆଗକୁ ହେବାକୁ ଥିବା ମନ୍ତ୍ରିମଣ୍ଡଳ ଅଦଳବଦଳ ବା ସମ୍ପ୍ରସାରଣ ସମୟରେ ମୁଖ୍ୟମନ୍ତ୍ରୀ ନିଜ ଇଚ୍ଛା ଅନୁସାରେ ଦୃଢ଼ ନିଷ୍ପତ୍ତି ନେଇପାରିବେ । ସାମଗ୍ରିକ ଭାବେ, ଏହି ଚିଠି ମୋହନ ମାଝୀଙ୍କୁ ଜଣେ ଆତ୍ମବିଶ୍ୱାସୀ ଏବଂ ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ ଭାବେ ଉଭା କରିଛି । ଯାହାଙ୍କ ପଛରେ ସ୍ୱୟଂ ପ୍ରଧାନମନ୍ତ୍ରୀ ଛିଡ଼ା ହୋଇଛନ୍ତି । ଏବେ ସେ ଶାସନ ଏବଂ ଦଳ ଉପରେ ଅଧିକ ନିୟନ୍ତ୍ରଣ ରଖିପାରିବେ ।
Also Read : ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ