କଟକରେ କମୁଛି କରୋନା ସଂକ୍ରମଣ ସୂଚନା ଦେବା ସହିତ ସତର୍କ କରାଇଲେ ସିଏମସି କମିଶନର

କେନ୍ୟୁଜ: ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଆଜି ସର୍ବାଧିକ ୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହା ଏବେ ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ତେବେ କଟକ ସହରରେ ଗତ ସପ୍ତାହକ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । କଟକ ମହାନଗର ନିଗମ ଓ ଗ୍ରାମାଞ୍ଚଳରେ ଘରକୁ ଘର ଯାଇ ସର୍ଭେ କରାଯାଉଛି । ସେହିଭଳି ସଂକ୍ରମଣର ଲକ୍ଷଣ ଥିବା ଲୋକଙ୍କ ଠାରୁ ନମୁନା ସଂଗ୍ରହ କରାଯାଇ ଏହାକୁ ପରୀକ୍ଷା କରାଯାଉଛି । କଟକ ମହାନଗର ନିଗମ କମିସନର ଅନନ୍ୟା ଦାଶ ଆଜି ଏହି ସୂଚନା ଦେଇଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଦାଶ କହିଛନ୍ତି, କଟକରେ ଏବେ ଲକଡାଉନ ଜାରି ଥିବା ବେଳେ କରୋନା ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରାଯାଉଛି ।

କେବଳ ସେତିକି ନୁହେଁ କଟକରେ ଆଣ୍ଟିଜେନ ଟେଷ୍ଟ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି ସିଏମସି କମିସନର ଶ୍ରୀମତୀ ଦାଶ । ସେହିଭଳି କରୋନା ମୁକାବିଲା ପାଇଁ ଏସସିବିରେ ଅଧିକ ଅସ୍ଥାୟୀ ଓପିଡି ପାଇଁ ଯୋଜନା କରାଯାଉଛି । ଲକ୍ଷଣ ନଥିବା ଆକ୍ରାନ୍ତଙ୍କ ପାଇଁ ୩ଟି କୋଭିଡ କେୟାର ସେଣ୍ଟର କରାଯାଉଛି । ଏହା ଗୋପାଳପୁର, ବିଦ୍ୟାଧରପୁର ଓ ଓଏଟି ଠାରେ ଖୋଲାଯିବ । ଲୋକେ ବାହାରକୁ ଯିବା ପୂର୍ବରୁ ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

ତେବେ ରିପୋର୍ଟ ଅନୁଯାୟୀ କଟକ ମହାନଗର ନିଗମ ଅଂଚଳରୁ ଆଜି ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୪ ଜଣ କ୍ୱାରେଣ୍ଟାଇନ ସେଣ୍ଟର ଓ ୨ ଜଣ ଲୋକାଲ କଣ୍ଟ୍ରାକ୍ଟ ବୋଲି ସିଏମସି ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.