୧୨ଶହ ମଣ୍ଡପରେ ଗଣେଶ ପୂଜା, ସିଏମ୍ ସି ପକ୍ଷରୁ ପ୍ରସ୍ତୁତି ବୈଠକ

କଟକ : ଗଣେଶ ପୂଜାଠାରୁ କଟକ ସହରରେ ଆରମ୍ଭ ହୋଇଯାଏ ପାର୍ଵଣ ପ୍ରସ୍ତୁତି। ତେଣୁ ପାର୍ଵଣ ଋତୁର ପ୍ରଥମ ଅବସର ଗଣେଶ ପୂଜାକୁ ସହରରେ କିଭଳି ଶାନ୍ତି,ଶୃଙ୍ଖଳାର ସହ ଆୟୋଜନ କରାଯିଵ ସେ ନେଇ ଆଜି କଟକ ମହାନଗର ନିଗମ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି ।

ମେୟରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ କଟକ ମହାନଗର ପୂଜା କମିଟି, ଶାନ୍ତି କମାଟି କର୍ମକର୍ତ୍ତାଙ୍କ ସହ କମିଶନରେଟ ପୋଲିସର ଅତିରିକ୍ତ ଡିସିପି ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।  ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହରରେ ପ୍ରାୟ ୧୨ଶହ ମଣ୍ଡପରେ ବିଘ୍ନ ବିନାସକଙ୍କ ପୂଜା ଆୟୋଜିତ ହେବ ।  ଯେହେତୁ ସହରରେ ଏତେ ସଂଖ୍ୟକ ମଣ୍ଡପରେ ପୂଜା ଆୟୋଜନ ହେବ, ତେଣୁ ଭସାଣ ଉତ୍ସବକୁ ତିନୋଟି ପର୍ଯ୍ୟାୟରେ କରିଵା ପାଇଁ କମିଶନରେଟ୍ ପୋଲିସ୍ ଓ ମହାନଗର ନିଗମ ନିଷ୍ପତ୍ତି ନେଇଛନ୍ତି ।

ଅଗଷ୍ଟ ୩୧, ସେପ୍ଟେମ୍ବର ୭ ଓ ୧୪ତାରିଖରେ ସହରରେ ଗଣେଶ ଭସାଣି ହେଵ ଵୋଲି ମେୟର ସୂଚନା ଦେଇଛନ୍ତି ।  ପୂଜା ପୂର୍ବରୁ ସହରର ରାସ୍ତା ଘାଟ,ଷ୍ଟ୍ରିଟ୍ ଲାଇଟ, ପାନୀୟ ଜଳ ଯୋଗାଣ ଓ ଭସାଣି ପାଇଁ ଉନ୍ନତ ମାନର କୃତ୍ରିମ ପୁଷ୍କରିଣୀ ଵ୍ୟଵସ୍ଥା କରିବାକୁ ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ ସି ଏମ୍ ସିକୁ ପରାମର୍ଶ ଦିଆଯାଇଛି ।