କୋଷ୍ଟଗାର୍ଡ ଅଫିସର୍ ପ୍ରଗତି କୁମାରଙ୍କୁ ମିଳିଲା ସାହାସିକତା ପୁରସ୍କାର, ୧୬ ଜଣଙ୍କୁ କରିଥିଲେ ଉଦ୍ଧାର

ବ୍ରହ୍ମପୁର: ଆରବ ସାଗରରେ ଚାଲିଥିଲା ଭୟଙ୍କର ବାତ୍ୟା । ଆଉ ଏହି ବାତ୍ୟା ସମୟରେ ଏକ ଜାହାଜରେ ସଙ୍କଟାପନ୍ନ ଭାବେ ଫସି ରହିଥିଲେ ୧୬ ଜଣ ଯାତ୍ରୀ । ଭୟଙ୍କର ବାତ୍ୟାରେ ମଧ୍ୟ ୧୬ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଯୋଗୁଁ ତାଙ୍କୁ ମିଳିଛି ସାହାସିକତାର ସର୍ବୋଚ୍ଚ ସମ୍ମାନ । ଆମେ କହୁଛୁ ବ୍ରହ୍ମପୁର ଉପକଣ୍ଠ କମଳାପୁରର ଏ. ପ୍ରଗତି କୁମାରଙ୍କ କଥା । ପ୍ରଗତି କୁମାର ୨୦୦୮ ମସିହାରେ କୋଷ୍ଟ ଗାର୍ଡ଼ରେ ଯୋଗ ଦେଇଥିଲେ । କୋଷ୍ଟଗାର୍ଡ଼ର ଅଧିକାରୀ ଭାବେ କାମ କରୁଥିବା ବେଳେ ୨୦୨୧ ମସିହା ଜୁନ୍‌ ମାସ ୧୭ ତାରିଖରେ ଆରବ ସାଗରରେ ଦେଖିବାକୁ ମିଳିଥିବା ଭୟଙ୍କର ବାତ୍ୟା ।

ଆଉ ଏହି ବାତ୍ୟା ସମୟରେ ସମୁଦ୍ରର ଅତଳ ଜଳରାଶି ମଧ୍ୟରେ ଏକ ବଡ଼ ଜାହାଜ ଫସି ରହିଥିଲା । ଏହି ଜାହାଜରେ ଫସି ରହିଥିବା ମୋଟ ୧୦୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ କୋଷ୍ଟ ଗାର୍ଡ଼ ପକ୍ଷରୁ ହୋଇଥିଲା ଅପରେସନ୍‌ ଦମନ । ଏହି ଅପରେସନ ଜରିଆରେ କିଛି ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୬ ଜଣ ସଙ୍କଟାପନ୍ନ ଭାବେ ଜାହାଜ ମଧ୍ୟରେ ରହିଥିଲେ । ଏହି ସମୟରେ ନିଜର ସାହାସିକତାର ପ୍ରମାଣ ଦେଇ କିଭଳି ୧୬ ଜଣଙ୍କୁ ଉଦ୍ଧାର କରାଯାଇପାରିବ ସେ ନେଇ ଯୋଜନା କରିଥିଲେ ପ୍ରଗତି କୁମାର ।

ଯୋଜନା ମୁତାବକ ୧୬ ଜଣଙ୍କୁ ସମ୍ପୃକ୍ତ ଜାହାଜ ମଧ୍ୟରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଯାହାଫଳରେ ସେହି ୧୬ ଜଣ ଯାତ୍ରୀ ଏକ ନୂଆ ଜୀବନ ପାଇଥିଲେ । ଆଉ ଏଭଳି ସାହାସିକତା ପାଇଁ ପ୍ରଗତିଙ୍କୁ ଦେଶର ସମ୍ମାନଜନକ ତଟରକ୍ଷକ-ଗ୍ୟାଲେଣ୍ଟ୍ରି ସମ୍ମାନରେ ସମ୍ମାନିତ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏଭଳି ସମ୍ମାନ ପାଇବା ପରେ ବେଶ ଖୁସଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ଦେଶ ସେବା ତଥା ସାହାସିକତାର ସହିତ ନିଜର କର୍ତ୍ତବ୍ୟକୁ ପାଳନ କରିବା ନିମନ୍ତେ ଉତ୍ସାହ ଆସିବ ବୋଲି କହିଛନ୍ତି ଏ.ପ୍ରଗତି କୁମାର ।

ପ୍ରଗତି ପ୍ରତିରକ୍ଷା ମନ୍ତ୍ରୀଙ୍କ ଠାରୁ ସମ୍ମାନ ପାଇବା ପରେ ନିଜ ଗାଁକୁ ଫେରିଥିଲେ । ସେ ସମ୍ମାନ ପାଇବା ଖବର ସାରା ଗାଁରେ ଚହଳ ପକାଇଥିଲା । ଯାହାକୁ ନେଇ କେବଳ ଯେ ପ୍ରଗତିଙ୍କ ପରିବାର ଲୋକେ ହିଁ ଖୁସୀ ଥିଲେ ତାହା ନୁହେଁ ବରଂ କମଳାପୁର ଗାଁରେ ଖୁସୀର ଲହରୀ ଖେଳିଯାଇଥିଲା । ନିଜ ଘରକୁ ଫେରିବା ପରେ ପରିବାର ଲୋକେ ପ୍ରଗତିଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଏହାପରେ ଗ୍ରାମବାସୀ ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ମାନଙ୍କ ପକ୍ଷରୁ ଏକ କାର୍ଯ୍ୟକ୍ରମ କରାଯାଇ ସେଠାରେ ପ୍ରଗତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ପ୍ରଗତିଙ୍କ ପିଲାଟି ଦିନରୁ ହିଁ ଦେଶ ସେବା ପ୍ରତି ତାଙ୍କ ମଧ୍ୟରେ ଉତ୍ସାହ ରହିଥିଲା । ଆଉ ଏଭଳି ସମ୍ମାନ ପାଇବା ପରିବାର ପ୍ରତି ଗର୍ବର କଥା ବୋଲି କହିଛନ୍ତି ପ୍ରଗତିଙ୍କ ପତ୍ନୀ । ସେପଟେ ପ୍ରଗତିଙ୍କ ତିନି ଭାଇ ମଧ୍ୟରେ ସେ ବଡ଼ ଥିବା ବେଳେ ବହୁ କଷ୍ଟର ସହିତ ତିନି ପୁଅକୁ ପାଠପଢ଼ାଇ ବଡ଼ କରିଥିଲି । ଆଜି ପୁଅ ଏଭଳି ସମ୍ମାନ ପାଇଥିବା ଯୋଗୁଁ ସେହି କଷ୍ଟର ଫଳ ପାଇଛି ଓ ପ୍ରଗତି ପାଇଁ ଗର୍ବରେ ଛାତି ଫାଟିପଡ଼ୁଛି ବୋଲି କହିଛନ୍ତି ପ୍ରଗତିଙ୍କ ମା । ପିଲାଟି ଦିନରୁ ଦେଶ ସେବା କରିବା ପାଇଁ ସ୍ଥଳ ସେନା ବାହିନୀରେ ଯୋଗ ଦେବା ପାଇଁ ବେଶ ଆଗ୍ରହୀ ଥିଲେ ପ୍ରଗତି ।

କିନ୍ତୁ ଉଚ୍ଚତାରେ ଛୋଟ ହୋଇଥିବା ଯୋଗୁଁ ଭଲ ପାଠପଢ଼ି କୋଷ୍ଟଗାର୍ଡ଼ରେ ଅଧିକାରୀ ଭାବେ ଯୋଗ ଦେଇ ଆଜି ଗାଁ ପାଇଁ ଗର୍ବ ଆଣିଛନ୍ତି ବୋଲି କହିଛନ୍ତି କମଳାପୁର ଗାଁର ମୁଖିଆ ତଥା ଅବସରପ୍ରାସ୍ତ ସେନା କର୍ମଚାରୀ ସଂଘର ସମ୍ପାଦକ । କମଳାପୁର ଗାଁରେ ପ୍ରାୟ ୯୦ ପ୍ରତିଶତ ଯବାନ ରହୁଥିବା ବେଳେ ପ୍ରଗତିଙ୍କ ଏଭଳି ସାହାସିକତା ସମ୍ମାନ ଗ୍ରାମର ଅନ୍ୟ ଯୁବକ ମାନଙ୍କ ପାଇଁ ଏକ ପ୍ରେରଣା ।

Also read: ପୋଲିସକୁ ମାଡ଼ ମାରିବା ମହଙ୍ଗା ପଡ଼ିଲା, ଜଣକୁ ବାନ୍ଧିବା ପରେ ପୁରୁଷ ଶୂନ୍ୟ ହୋଇଯାଇଛି ପୂରା ଗାଁ