ନୀଳ ଜଳରାଶିରେ ପଇଁତରା ମାରୁଛି କୋଷ୍ଟଗାର୍ଡର ଜାହାଜ ଓ ହେଲିକପ୍ଟର, ଚାଲିଛି ମିଳିତ ସମରାଭ୍ୟାସ ସାଗର କବଚ-୧

ଉପକୂଳ ସମୁଦ୍ରର ନୀଳ ଜଳରାଶିରେ ଘନ ଘନ ପଇଁତରା ମାରୁଛି କୋଷ୍ଟଗାର୍ଡର ଜାହାଜ ଓ ହେଲିକପ୍ଟର । ମେରାଇନ ପୋଲିସ, ମତ୍ସ୍ୟ ବିଭାଗ, ବନ ବିଭାଗ ପକ୍ଷରୁ ମଧ୍ୟ ଚାଲିଛି ଘନ ଘନ ଚେକିଂ । ୨୬/୧୧ ମୁମ୍ୱାଇ ଆକ୍ରମଣ ପରେ ଜଳଭାଗ ଦେଇ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ପ୍ରତିହତ କରିବା ପାଇଁ ସବୁ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଚାଲିଛି ମିଳିତ ସମରାଭ୍ୟାସ ସାଗର କବଚ-୧ ।

ଓଡିଶା ଉପକୂଳବର୍ତ୍ତୀ ସମୁଦ୍ର ଜଳରାଶିରେ ଚାଲିଛି ଦୁଇଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୧ । ଦୁଇଦିନିଆ ଏହି ମିଳିତ ସମରାଭ୍ୟାସରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୦ରୁ ଉର୍ଦ୍ଧ ବିଭାଗ ସାମିଲ ହୋଇଛନ୍ତି । ୨୬/୧୧ ମୁମ୍ୱାଇ ଆକ୍ରମଣ ଘଟଣା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଆତଙ୍କି କାର୍ଯ୍ୟକଳାପକୁ ରୋକିବା ପାଇଁ ପ୍ରତ୍ୟେକ ବର୍ଷ ଦୁଇଥର ଏହି ସମରାଭ୍ୟାସ କରାଯାଉଛି । ଜଳପଥରେ ଦେଶର ସୁରକ୍ଷା ମତ୍ସ୍ୟଜୀବୀମାନଙ୍କ ଉପରେ ଅଧିକ ନିର୍ଭର କରିଥାଏ । ସମୁଦ୍ର ଭିତରେ ୭ରୁ ୮ ଦିନ ରହୁଥିବା ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ଏହି ସମରାଭ୍ୟାସରେ ସାମିଲ କରାଯାଇଛି । ଗଭୀର ସମୁଦ୍ରରେ ବାହାର ଦେଶର ନାଗରିକଙ୍କୁ କିମ୍ୱା କୌଣସି ସନ୍ଦେହଜନକ ବ୍ୟକ୍ତିଙ୍କୁ ଦେଖିଲେ କିପରି ସୂଚନା ଦିଆଯିବ, ସେ ସମ୍ପର୍କରେ ମଧ୍ୟ ମତ୍ସ୍ୟଜୀବୀମାନଙ୍କୁ ଟ୍ରେନିଂ ଦିଆଯାଇଥାଏ ବୋଲି ମତ୍ସ୍ୟଜୀବୀ ପ୍ରକାଶ କରିଛନ୍ତି ।

ସେହିପରି ପାରାଦୀପରେ ବିଭିନ୍ନ ରାସାୟନିକ ଶିଳ୍ପାନୁଷ୍ଠାନ ରହୁଥିବାରୁ ଏହା ଉପରେ ଆତଙ୍କବାଦୀମାନଙ୍କର ନଜର ରହିଥାଏ । ସେଥିପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ନିଶ୍ଚିତ ରୂପେ ସ୍ବାଗତ ଯୋଗ୍ୟ ।

ଗଭୀର ସମୁଦ୍ରରେ ଇଣ୍ଡିଆନ ନେଭି, ସମୁଦ୍ର କୂଳଠାରୁ ୧୦୦ ନଟିକାଲ ଭିତରେ କୋଷ୍ଟଗାର୍ଡ, ମେରାଇନ ପୋଲିସ ଓ ମତ୍ସ୍ୟ ବିଭାଗ ପଇଁତରା ମାରୁଥିବାବେଳେ ସମୁଦ୍ର କୂଳର ସ୍ଥଳଭାଗରେ ସିଆଇଏସଏଫ, ପାରାଦୀପ ବନ୍ଦର, ଇମିଗ୍ରେସନ, ଓଡିଶା ପୋଲିସ, ଇଣ୍ଟେଲିଜେନ୍ସ, ଅଗ୍ନିଶମ ବିଭାଗ ପ୍ରଭୂତି ୧୦ରୁ ଉର୍ଦ୍ଧ୍ବ ବିଭାଗ ସାମିଲ ହୋଇଛନ୍ତି । ରେଡ୍‌‍ ଟିମ୍‌‍ ଆତଙ୍କି ଭାବେ ସ୍ଥଳଭାଗରେ ପ୍ରବେଶ କରିବାକୁ ଚେଷ୍ଟା କରିବେ ଏବଂ ବ୍ଲୁ ଟିମ୍‌‍ ସେମାନଙ୍କୁ ଧରିବେ । ତେବେ ଦୁଇଦିନ ଧରି ଚାଲିବାକୁ ଥିବା ଏହି ସାଗର କବଚରେ ପାରାଦୀପର ବିଭିନ୍ନ ସମ୍ୱେଦନଶୀଳ ସ୍ଥାନମାନଙ୍କରେ ପୋଲିସ କଡା ନଜର ରଖିଛି । ସେହିପରି ପାଟ୍ରୋଲିଂକୁ କଡାକଡି କରାଯାଇଛି । ସେହିପରି ଆଦର୍ଶ ଥାନାରେ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ ଖୋଲାଯାଇଛି । ସମସ୍ତଙ୍କୁ ୱାକିଟକି ମାଧ୍ୟମରେ ସୂଚନା ପ୍ରଦାନ କରାଯାଉଥିବା ବେଳେ ଛଦ୍ମବେଶୀ ଭାବରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଆତଙ୍କିବାଦୀମାନଙ୍କ ଉପରେ ତୀକ୍ଷଣ ନଜର ରଖିବା ସହିତ ଟାଇମ ଟୁ ଟାଇମ ପ୍ରତ୍ୟେକ ବିଭାଗକୁ ଖବର ଦିଆଯାଉଛି ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି ।

ଅହୋରାତ୍ର ଗଭୀର ସମୁଦ୍ରରେ ରହୁଥିବା ମତ୍ସ୍ୟଜୀବୀଙ୍କ ଉପରେ ରହିଥାଏ ଉପକୂଳ ସୁରକ୍ଷାର ପ୍ରମୁଖ ଭୂମିକା । ସେଥିପାଇଁ ଏହି ମିଳିତ ସମରାଭ୍ୟାସରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହିତ ମତ୍ସ୍ୟଜୀବୀଙ୍କୁ  ଦିଆଯାଉଥିବା ସ୍ବତନ୍ତ୍ର ପ୍ରଶିକ୍ଷଣ, ଓଡିଶାର ୪୮୦ କିଲୋମିଟର ଉପକୂଳକୁ ସୁରକ୍ଷା ଯୋଗାଇବାରେ ସକ୍ଷମ ହେବ ।

Also Read: ପାରାଦ୍ବୀପ ସମୁଦ୍ର ତଟରେ ମିଳିତ ସମରାଭ୍ୟାସ, ଆତଙ୍କୀଙ୍କୁ ଚେକ୍‌ ଦେବାକୁ ପଇଁତରା ମାରୁଛନ୍ତି ସୁରକ୍ଷାକର୍ମୀ