କାକଟପୁର: ରାସ୍ତା ଉପରେ ନାଗସାପ -ବିଲେଇ ମୁହାଁମୁହିଁ, ମୋବାଇଲରେ କଏଦ ହେଲା ଭିଡିଓ

କାକଟପୁର(କେନ୍ଯୁଜ୍): କେବେ କେବେ ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିବା ପରେ ଲୋମ ଟାଙ୍କୁରୀ ଉଠିଥାଏ।  ବିଶେଷ କରି  ପ୍ରତ୍ୟେକ ଦିନ ପଶୁ-ପକ୍ଷୀଙ୍କ ଭାଇରାଲ ଭିଡିଓ ଦେଖିବାକୁ ମିଳିଥାଏ। ଆଉ ଏହି ଭିଡିଓ ସବୁକୁ ଲୋକେ ଖୁବ୍‌ ପସନ୍ଦ ମଧ୍ଯ କରିଥାନ୍ତି। କାରଣ ଜଙ୍ଗଲରେ ଏମାନଙ୍କର ଲଢ଼େଇକୁ କେହି ଦେଖିପାରନ୍ତି ନାହିଁ। ତେବେ ଏଭଳି ପୁଣି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଗୋଟିଏ ବିଲେଇ ଆଉ ନାଗ ସାପ ସାମ୍ନା ସାମ୍ନି ହୋଇଛନ୍ତି। ଏହି ଦୃଶ୍ୟଟି ଦେଖିବାକୁ ମିଳିଛି କାକଟପୁର ଅଞ୍ଚଳରେ ।

ନାଗସାପ ଆଉ ନେଉଳ ଭିତରେ ଯୁଦ୍ଧକୁ ନେଇ ଅନେକ ଭିଡିଓ ଭାଇରାଲ୍ ହୋଇଛି, ସାପ ଏବଂ ନେଉଳର ଶତ୍ରୁତା ବହୁ କାଳରୁ ଚାଲିଆସୁଛି। କୁହାଯାଏ ଯେ କେବଳ ନେଉଳ ହିଁ ଏମିତି ଏକ ଜୀବ ଯିଏ ବିଷାକ୍ତ ରୁ ବିଷାକ୍ତ ସାପ ସହ ମୁକାବିଲା କରିବାର କ୍ଷମତା ରହିଛି। କିନ୍ତୁ ଏବେ  ନାଗସାପ -ବିଲେଇ ମୁହାଁମୁହିଁ ହେଉଥିବା ଭିଡିଓ  ଖୁବ୍ ଭାଇରାଲ୍ ହେଉଛି। ସୂଚନା ମୁତାବକ, ଗୋଟିଏ ଆଠଫୁଟର ବିଷଧର ନାଗସାପ ଜନବସତି ଅଞ୍ଚଳକୁ ଯାଉଥିବା ବେଳେ ତା’ର ବାଟ ଓଗାଳିଥିଲା ସ୍ଥାନୀୟ ଅଞ୍ଚଳର ଏକ ପୋଷା ବିଲେଇ। ଯାହା ଫଳରେ ସାପଟି ବିଲେଇକୁ ଫଁ ଫଁ ହୋଇ ଚୋଟ ମାରିବାକୁ ଚେଷ୍ଟା କରିଥିଲା।

ମାତ୍ର ଆପଣତ ଜାଣିଛନ୍ତି ବିଲେଇ ଡରିବା ଜନ୍ତୁ ନୁହେଁ। ଚତୁରତାର ସହ ସେ ନିଜକୁ ସାପ ଚୋଟରୁ ରକ୍ଷା କରିଥିଲା, ଆଉ ସାପଟିକୁ କାହା ଘର ଭିତରକୁ ପସିବାକୁ ଦେଇନଥିଲା । ନାଗସାପ ଓ ବିଲେଇର ଛକାପଞ୍ଝାର ସମସ୍ତ ଦୃଶ୍ୟ ସେହି ବାଟ ଦେଇ ଯାଉଥିବା ଜଣେ ବ୍ଯକ୍ତି ନିଜ ମୋବାଇଲରେ କଏଦ କରିଥିଲେ। ତେବେ ଶେଷରେ ବିଲେଇ ଆଗରେ ସାପଟି ହାର ମାନିନେଇଥିଲା। ଆଉ ନିଜ ବାଟ ଭାଙ୍ଗି ବଣ ଭିତରକୁ ଫେରି ଯାଇଥିବା ଜଣାପଡିଛି। ତେବେ ଏହି ଭିଡିଓକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ଚାଲିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.