ଯାଜପୁର : ବାଇକ୍‌ରୁ ମୁଣ୍ଡ ଟେକିଲା ନାଗ, ଅଳ୍ପକେ ବର୍ତ୍ତିଲେ ଚାଳକ

ଯାଜପୁର ଟାଉନ (କେନ୍ୟୁଜ୍‌) : ବାଇକ୍‌ ଭିତରୁ ବାହାରିଲା ବିଷଧର ନାଗସାପ । ଯାଜପୁର ଜିଲ୍ଲାର ବିରଜାପୁର, ରାମବାଗର ଦେବେନ୍ଦ୍ର କୁମାର ନାୟକଙ୍କ ବାଇକ୍‌ ରୁ ଏହି ନାଗସାପକୁ ଉଦ୍ଧାର କରାଯାଇଛି । କାମରେ ଯିବା ପାଇଁ ଦେବେନ୍ଦ୍ର ଘରୁ ବାଇକ ବାହାର କରି ସିଟ୍‌କୁ ପୋଛି ସାରି ଭାଇଜରକୁ ପୋଛିବାକୁ ଯିବା ବେଳେ ସାପ ଲାଞ୍ଜ ଝୁଲୁଥିବାର ଦେଖିଲେ । ସେ ଭୟଭୀତ ହୋଇ ପଡିଲେ । ତେଣୁ ସାପକୁ ଉଦ୍ଧାର କରିବା ପାଇଁ ତୁରନ୍ତ ସ୍ନେକ ହେଲ୍ପ ଲାଇନକୁ ଖବର ଦେଲେ ।

ସ୍ନେକ ହେଲ୍ପ ଲାଇନ ସଦସ୍ୟ ପ୍ରମୋଦ କୁମାର ସାହୁ ନିଜର ସହଯୋଗୀ ଚିତ୍ତ ରଞ୍ଜନ ପଣ୍ଡାଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚିଲେ । ସେତେବେଳକୁ ଆଉ ସାପଟି ଦେଖା ଯାଉନଥିଲା। ସମ୍ପୂର୍ଣ୍ଣ ଭାବରେ ବାଇକ୍‌ର ଲାଇଟ ଆଉ ଭାଇଜର ମଧ୍ୟରେ ଥିବା ଖାଲି ଜାଗାରେ ଲୁଚି ଯାଇଥିଲା । ଚିତ୍ତ ଏକ ସ୍କ୍ରୁ ଡ୍ରାଇଭର ଧରି ବାଇକ୍‌ର ଭାଇଜରକୁ ଖୋଲିଲେ। ଏପଟେ ପ୍ରମୋଦ ଏହା କି ସାପ ବୋଲି ଦେଖିବାକୁ ଚେଷ୍ଟା କଲେ । ଆଉ ନଜରକୁ ଆସିଲା ବିଷଧର ।

ଏହା ଥିଲା ଏକ ସାଢ଼େ ୩ ଫୁଟ ଲମ୍ବର ନାଗ ସାପ । ଭାଇଜରକୁ ଚଢି ହ୍ୟାଣ୍ଡେଲ ଉପରକୁ ଉଠି ଆସିଲା । ପ୍ରମୋଦ ନିଜର ସ୍ନେକ ହୁକ ସାହାଯ୍ୟରେ ଅତି ଯତ୍ନର ସହିତ ନାଗଟିକୁ ବ୍ୟାଗରେ ଭର୍ତ୍ତି କରିଥିଲେ । ସାପଟିକୁ ଗାଁ ଠାରୁ ଦୂରରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆ ଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.