ଚଳନ୍ତା କାରରୁ ନାଗ ଖସିପଡ଼ିବା ପରେ ଉଦ୍ଧାର, ରବି ଟକିଜ୍ ଛକରେ ଚାଞ୍ଚଲ୍ୟ

ଭୁବନେଶ୍ୱର  : ଆଜି ଦିନ ପ୍ରାୟ  ସାଢେ଼ ଗୋଟେ ବେଳେ ରବି ଟକିଜ୍ ଛକରେ ଚଳନ୍ତା କାରରୁ ଏକ ନାଗ ଖସିପଡ଼ିବାର ଦେଖିବାକୁ ମିଳିଥିଲା । ଜଣେ ଟ୍ରାଫିକ କନେଷ୍ଟବଳ ପୋଷ୍ଟରେ ଥିବା ବେଳେ ଜଣେ ତଳେ ରହି ଟ୍ରାଫିକ ନିୟନ୍ତ୍ରଣ କରୁଥିଲେ । ଠିକ୍ ଏତିକି ବେଳେ ଟ୍ରାଫିକ ସିଗ୍ନାଲ ପରେ କେଦାରଗୌରୀ ପଟୁ କଳ୍ପନା ଆଡ଼କୁ ଯାଉଥିବା ଏକ କାର ତଳୁ ଏକ ନାଗ ସାପ ଖସି ପଡ଼ିଥିଲା ।

ହଠାତ୍ ଏକ ସାପ ଚଳନ୍ତା କାରରୁ ଖସିବା ଦେଖି ଅନ୍ୟ ଗାଡ଼ି ଚାଳକମାନେ ବ୍ୟସ୍ତ ହୋଇ ପଡିଥିଲେ । ତଳେ ଥିବା ଟ୍ରାଫିକ କନେଷ୍ଟବଳ ସାହସ କରି ସବୁ ଗାଡ଼ିକୁ ବନ୍ଦ କରି ସାପକୁ ରାସ୍ତା ଦେବା ପାଇଁ ବାଟ ସଫା କରିଦେଲେ । ସାପଟି ରାସ୍ତା ପାର ହୋଇ ନିକଟସ୍ଥ ସାନିଟାରୀ ଦୋକାନ ଆଡ଼କୁ ମୁହାଁଇ ଫୁଟପାଥ ଆଡ଼କୁ ଆସିଲା । ସାନିଟାରୀ ଦୋକାନର ଜଣେ କର୍ମଚାରୀ ସାହାସ କରି ଏକ ଖାଲି ପେଟି ଆଣି କୌଶଳ କରି ସାପଟିକୁ ତା ଭିତରେ ଭର୍ତ୍ତି କରି ଦେଲେ ।

ପେଟି ଉପରେ ଦୁଇଟି କାଠ ପକେଇ ଟ୍ରାଫିକ ପୋଲିସ ସେଇଠି ଜଗି ରହିଲେ । ଟ୍ରାଫିକ ପୋଲିସଙ୍କ ଠାରୁ ଖବର ପାଇ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଏକ  3 ଫୁଟ ଲମ୍ବର ନାଗ ସାପ ସେଇ ପେଟି ଭିତରେ ବାହାର କରି ସାପ ବ୍ୟାଗ୍ ରେ ଭର୍ତ୍ତି କରିଥିଲେ । ଏହାପରେ ଟ୍ରାଫିକ ପରିଚାଳନା ପୁଣି ସୁରୁଖୁରୁରେ ଚାଲିଥିଲା । ସାପଟିକୁ ସହର ବାହାରେ ଏକ ପ୍ରାକୃତିକ  ସ୍ଥାନରେ ଛାଡ଼ି ଦିଆଯାଇଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like