ଟେଷ୍ଟ ଅଫ କୋରାପୁଟକୁ ସ୍ୱତନ୍ତ୍ର ପରିଚୟ ଦେବାକୁ ପାଦେ ଆଗକୁ ବଢିଲେ ସରକାର, ଉଦ୍‌ଘାଟନ ହେଲା କ୍ଷୁଦ୍ର କଫି ପ୍ରକ୍ରିୟାକରଣ ପ୍ରକଳ୍ପ

କୋରାପୁଟ(କେନ୍ୟୁଜ୍): କୋରାପୁଟ କଫି। ଟେଷ୍ଟ ଅଫ କୋରାପୁଟ। କୋରାପୁଟ ଜିଲ୍ଲାର କଫିକୁ ସ୍ୱତନ୍ତ୍ର ପରିଚୟ ଦେବାକୁ ପାଦେ ଆଗକୁ ବଢିଲେ ସରକାର। ଉଦ୍‌ଘାଟିତ ହେଲା କ୍ଷୁଦ୍ର କଫି ପ୍ରକ୍ରିୟାକରଣ ପ୍ରକଳ୍ପ। ଟିଡିସିସି ପକ୍ଷରୁ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି ବିଧାୟକ ରଘୁରାମ ପଡେଲ। କୋରାପୁଟ କଫି ଚାଷୀଙ୍କ ବହୁ ଦିନର ଦାବି ପୂରଣ ହୋଇଛି। ପ୍ରକଳ୍ପ ଯୋଗୁଁ ଆଗାମୀ ଦିନରେ କୋରାପୁଟ କଫି ବିଶ୍ୱ ବଜାରରେ ପ୍ରବେଶ କରି ପାରିବ। ଚାଷୀଙ୍କ ଆର୍ଥିକ ବିକାଶରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଜିଲ୍ଲାପାଳ। କୋରାପୁଟ ଜିଲ୍ଲାର ଚାଷୀ ଏଣିକି ବାହାର ରାଜ୍ୟର ବ୍ୟବସାୟୀଙ୍କୁ ଆଉ ଶସ୍ତା ଦରରେ କଫି ମଞ୍ଜି ବିକ୍ରି କରିବେନି। ବଜାରର ଚାହିଦା ଦେଖି କଫି ଚାଷୀ ନିଜର ଉତ୍ପାଦ ବିକ୍ରି କରିପାରିବେ। ଚାଷୀଙ୍କଠାରୁ ଟିଡିସିସି ଜରିଆରେ କଫି ମଞ୍ଜି କିଣାଯାଇ ଏଠାରେ ହିଁ ପ୍ରକ୍ରିୟାକରଣ କରାଯିବ। ବଜାର ଚାହିଦାକୁ ଦୃଷ୍ଟିରେ ରଖି କଫି ମଞ୍ଜିରୁ ପ୍ରସ୍ତୁତ ପାଉଡରକୁ ସ୍ୱତନ୍ତ୍ର ଭାବେ ପ୍ୟାକିଂ କରାଯିବ। କୋରାପୁଟ ଜିଲ୍ଲାରେ ୨୫ଶହରୁ ଅଧିକ କଫି ଚାଷୀ ଅଛନ୍ତି। ୩ ହଜାରରୁ ଅଧିକ ହେକ୍ଟର ଜମିରେ କଫି ଚାଷ କରାଯାଉଛି।