୩ ଦିନ ପରେ ପୁଣି ବଢ଼ିବ ଶୀତ, ୧୪ ଯାଏ ୧୦ ଜିଲ୍ଲାକୁ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡ଼ିଶା । ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ୧୦ ଡିଗ୍ରୀ ତଳେ ୧୦ ସହର । ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ତେବେ ଆଜିଠାରୁ ବିଭିନ୍ନ ଜିଲ୍ଲାରେ ୨ରୁ ୪ ଡିଗ୍ରୀ ଯାଏ ବଢ଼ିପାରେ ତାପମାତ୍ରା । ଅର୍ଥାତ ଶୀତ କମିବା ସମ୍ଭାବନା ।  ୩ ଦିନ ପରେ ପୁଣି ବଢ଼ିବ ଶୀତ ।  ସର୍ବନିମ୍ନ ତାପମାତ୍ରାରେ ପୁଣି ୨ରୁ ୩ ଡିଗ୍ରୀ ହ୍ରାସ ହେବା ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।  ଆଜିଠୁ ୧୪ ତାରିଖ ଯାଏ ୧୦ ଜିଲ୍ଲାରେ କୁହୁଡ଼ି ହେବ । ଝାରସୁଗୁଡ଼ା, ପୁରୀ, ସମ୍ବଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ, ଗଞ୍ଜାମ , ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।  ଏହା ପରେ ବା ୧୫ ତାରିଖରୁ ପାଗ ଶୁଖିଲା ରହିବା ସହ ଶୀତ ବଢ଼ିବ ।

ପାରଳାଖେମୁଣ୍ଡି ଓ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୩୦ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୬.୫ଡିଗ୍ରି ରେକର୍ଡ କରାଯାଇଛି । ଆଜି କଟକ, ନୟାଗଡ଼, ଅନୁଗୁଳ, କେନ୍ଦୁଝର, କନ୍ଧମାଳ ଓ ଢେଙ୍କାନାଳରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ୍ୟତା ହ୍ରାସ ପାଇଥିବା ବେଳେ ଅନୁଗୁଳ, ଖୋର୍ଦ୍ଧା, ସୁନ୍ଦରଗଡ଼, କଳାହାଣ୍ଡି, ଝାରସୁଗୁଡ଼ା ଓ ସମ୍ବଲପୁରର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ଦେଖା ଦେଇଥିଲା ।