ଗଜାନନଙ୍କ ପାଇଁ ଶିକ୍ଷାଦାନ ବନ୍ଦ କଲେ କଲେଜ କର୍ତୃପକ୍ଷ, ଛାତ୍ରଛାତ୍ରୀ ନିରାଶ
ଗଜାନନଙ୍କ ପାଇଁ ଶିକ୍ଷାଦାନ ବନ୍ଦ କଲେ କଲେଜ କର୍ତୃପକ୍ଷ । ଗତ ଦୁଇ ଦିନ ଧରି ଲାଗି ରହିଛି ଏଭଳି ସମସ୍ୟା । ଏପରିକି ଶିକ୍ଷାଦାନ ବନ୍ଦ ସାଙ୍ଗକୁ ପ୍ରାକ୍ଟିକାଲ ପରୀକ୍ଷାରେ ଲାଗିଛି ତାଲା । ହାତୀ ଭୟରେ ଏବେ ଭୟଭୀତ ପୁରା କ୍ୟାମ୍ପସ । ଛାତ୍ରଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି ଅଧ୍ୟାପକ ଏବଂ ଅଧ୍ୟାପିକା ସମସ୍ତେ ଭୟର ବାତାବରଣ ମଧ୍ୟରେ ରହୁଛନ୍ତି କଲେଜ କ୍ୟାମ୍ପସରେ । ସେପଟେ ଦୁଇ ଦିନ ଧରି ଚନ୍ଦକାରୁ ଆସିଥିବା ହାତୀଟି ନିଜ ବାସସ୍ଥାନକୁ ନ ଫେରି କଲେଜ କ୍ୟାମ୍ପସ ମଧ୍ୟରେ ରହିଥିବା ଜଙ୍ଗଲ ମଧ୍ୟରେ ରହିଛି ।
ଏବେ ଯୁକ୍ତ ଦୁଇ ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ କ୍ଲାସକୁ ବନ୍ଦ କରିଦିଆ ଯାଇଥିବାବେଳେ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଯାହାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମନରେ ନିରାଶ ଦେଖା ଦେଇଛି । ଯେଉଁମାନେ ଛାତ୍ରଛାତ୍ରୀମାନେ କଲେଜ ଯାଇଛନ୍ତି ସେମାନେ ଭୟର ବାତାବରଣ ମଧ୍ୟରେ ରହିଛନ୍ତି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି ବୋଲି କହିଛନ୍ତି କଲେଜର ଛାତ୍ରଛାତ୍ରୀ ଏବଂ କଲେଜର ଅଧ୍ୟକ୍ଷ । ଦନ୍ତା ହାତୀ ସୋମବାର ରାତିରେ ଗଡ଼ସାନପୁଟ ପଞ୍ଚାୟତର କଣ୍ଟା ବଣିଆ ଓ ଟିମେଇପୁର ଅଞ୍ଚଳ ଦେଇ ଆସି ପ୍ରଥମେ ମନ୍ଦରାବସ୍ତ ଅଞ୍ଚଳ ଗାଁରେ ପ୍ରବେଶ କରି ଗଛ ପତ୍ର ଭାଙ୍ଗିବା ସହିତ ଧାନ ଖାଇଥିଲା ।
ଯାହାକୁ ଦେଖି ଲୋକମାନଙ୍କ ମନରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା । ସେପଟେ ଅପରାହ୍ନରେ ଚଉଦମୌଜା କଲେଜରେ ଗତକାଲି ଠାରୁ ହାତୀ ବୁଲୁଥିବାର ଦେଖି ସ୍ଥାନୀୟ ଲୋକେ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ବନ ବିଭାଗର ହସ୍ତକ୍ଷେପ ପରେ ଲୋକମାନେ ଶାନ୍ତ ପଡ଼ିଥିଲେ । ଗତକାଲି ଜଙ୍ଗଲ ବିଭାଗ ପକ୍ଷରୁ ବିଳମ୍ବିତ ରାତିରେ ହାତୀକୁ ଘଉଡ଼ାଇ ଅଣ୍ଡାଗହୀର ଦେଇ ଜଙ୍ଗଲ ମୁହାଁ କରାଯାଇଥିଲା । କିନ୍ତୁ ରାତି ପାହିଲା ବେଳକୁ ପୁଣି ହାତୀ ଆସି ଗଡ଼ସାନପୁଟ ଚଉଦ ମୌଜା କଲେଜ ପରିସରରେ ପହଞ୍ଚିଯାଇଛି ।
ଏବେ କଲେଜ ହାତୀ ପାଇଁ ବନ୍ଦ ରଖାଯାଇଛି । ରାତି ହେଲେ ପୁଣି ହାତୀକୁ ଘଉଡ଼ାଇବା ବ୍ୟବସ୍ଥା କରାଯିବ । ଏବେ ଧାନ ଅମଳ ସମୟ ହୋଇଥିବାରୁ ହାତୀ ଧାନ ଖାଇବା ପାଇଁ ଆସିଥିବା ଅନୁମାନ କରାଯାଉଛି । ବନ ବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ ନଜର ରଖାଯିବା ସହିତ ବନକର୍ମଚାରୀ ମାନେ ଉପସ୍ଥିତ ରହି ହାତୀ ଉପରେ ନଜର ରଖିଛନ୍ତି । ତେବେ ରାତିରେ ହାତୀଟିକୁ ଘଉଡ଼ାଇ ଚନ୍ଦକା ଅଭିମୂଖେ ନିଆଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୁଚନା ରହିଛି ।