ଅଡ଼ଶପୁର କଲେଜ ଛାତ୍ରୀ ନିକିତା ମୃତ୍ୟୁ, କଣ ସତରେ ଆତ୍ମହତ୍ୟା ?

ଭୁବନେଶ୍ୱର (କେ ନ୍ୟୁଜ୍‌) : କଟକ ଜିଲ୍ଲା ଅଡ଼ଶପୁର କଲେଜ ହଷ୍ଟେଲରୁ ଗତ ୨୧ ତାରିଖ ଦିନ ଉଦ୍ଧାର ହେଲା ଜଣେ ଛାତ୍ରୀଙ୍କ ମୃତଦେହ । ଝୁଲନ୍ତା ଅବସ୍ଥାରେ ମୃତ ଛାତ୍ରୀ ଜଣକୁ ଉଦ୍ଧାର କରିଥିଲା ପୋଲିସ୍‌ । ଯୁକ୍ତ ତିନି ବାଣିଜ୍ୟ ବିଭାଗର ପ୍ରଥମ ବର୍ଷ ଛାତ୍ରୀ ନିକିତା ମୁଦଲିଙ୍କର ମୃତ୍ୟୁ ହୋଇଥିଲା । ହେଲେ ଏଯାଏ ପୋଲିସ୍‌ ଖୋଜି ପାଉନାହିଁ ମୃତ୍ୟୁର କାରଣ । କଣ ବିନା କୌଣସି କାରଣରେ ଜଣେ ଆତ୍ମହତ୍ୟା କରି ପାରେ ? ଏଭଳି ପ୍ରଶ୍ନ ଉଠିଛି ନିକିତାଙ୍କ ପରିବାର ଲୋକଙ୍କ ମନରେ ।
ନିକିତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଅନନ୍ତପୁରରେ । ସେ ବର୍ଷେ ହେଲା ଅଡ଼ଶପୁର କଲେଜରେ ଆଡମିଶନ୍‌ ନେଇ ପଡୁଥିଲେ । ଗତ ଫନି ବାତ୍ୟା ପରେ କଲେଜ ଛୁଟି ରହିଥିଲା । ଛୁଟି ଖୋଲିବା ପରେ ପରିବାର ଲୋକେ ନିକିତାକୁ ଆଣି ହଷ୍ଟେଲରେ ଛାଡ଼ି ଯାଇଥିଲେ । ହେଲେ କଣ ପାଇଁ ସେ ଆତ୍ମହତ୍ୟା କଲା ତାକୁ ନେଇ ଏବେବି ସେମାନେ ଚିନ୍ତା କରି ପାରୁନାହାନ୍ତି । ଏଭଳି କିଛି ସନ୍ଦେହ ଉପୁଜିଛି ଯେ କୌଣସି କାରଣରୁ ତାକୁ ମାରି ଟଙ୍ଗାଇ ଦିଆଯାଇଛି କିମ୍ବା ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି ।
ହଷ୍ଟେଲ ରୁମ୍‌ର ଖଟ ଉପରକୁ ଥିବା ଫ୍ୟାନ୍‌ରେ ନିକିତାର ଶରୀର ଝୁଲୁଥିଲା । ତାର ଗୋଡ଼ ଖଟକୁ ଲାଗିଥିଲା ଏବଂ ଦଉଡ଼ିର ଗଣ୍ଠିଥିଲା ବାମ ପଟକୁ । ଟେବୁଲଟିଏ ଖଟ ଉପରେ ଗଡ଼ି ପଡ଼ିଥିଲା । ଯାହା ସନ୍ଦେହ ସୃଷ୍ଟି କରିଛି ।
ଏସବୁକୁ ନେଇ ପରିବାର ଲୋକେ ସନ୍ଦେହ ପ୍ରକାଶ କରିବା ସହ ଠିକଣା ଭାବେ ତଦନ୍ତ କରିବାକୁ ଲିଖିତ ନିବେଦନ କରିଛନ୍ତି । ହେଲେ ପୋଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ଏମିତିକି ପରିବାର ଲୋକେ ତାଙ୍କ ଅଭିଯୋଗରେ ଅନ୍ୟ କିଛି କାରଣ ମଧ୍ୟ ଦର୍ଶାଇଛନ୍ତି । ଯାହାକୁ ଆଧାର କରି ପୋଲିସ୍‌ ତଦନ୍ତ କରିବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.